ଶିକ୍ଷା ବ୍ୟବସ୍ଥାର ଗତି ଓ ସ୍ଥିତି

ପ୍ରମୋଦ କୁମାର ପଣ୍ଡା

ସେ ଯାହାବି ହେଉ ଅନେକ ଦିନ ପରେ ସରକାର ଯେତେବେଳେ ଶିକ୍ଷାବିଭାଗ ପ୍ରତି ଦୃଷ୍ଟି ଦେଇଛନ୍ତି ଜନସାଧାରଣଙ୍କ ମନରେ ଆଶା ସଂଚାର ହେବା ସ୍ବାଭାବିକ। ମୋ ସ୍କୁଲ ଅଭିଯାନ ହେଉ କି ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମ ହେଉ ଅଥବା ୫-ଟି ଅନ୍ତର୍ଭୁକ୍ତ କରି ବିଦ୍ୟାଳୟର ରୂପାନ୍ତରଣ ହେଉ ନିଶ୍ଚିତ ଭାବରେ ତାହା ବିଦ୍ୟାଳୟର ବିକାଶ ପାଇଁ ଉଦ୍ଦିଷ୍ଟ ଓ ସ୍ବାଗତଯୋଗ୍ୟ ପଦକ୍ଷେପ। ଦିନକୁଦିନ ବିଦ୍ୟାଳୟଗୁଡ଼ିକ ଶଁଅବାଳୁଆରୁ ପ୍ରଜାପତି ହେବାଭଳି ରୂପାନ୍ତର ହେବା ଦେଖାଯାଉଛି। ପିଲାଏ ନୂତନ ଢଙ୍ଗରେ ପାଠ ପଢ଼ିବେ, ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଘଟିବ, ଏହା ଠିକ୍‌ କଥା, ଅବଶ୍ୟ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଟ କେତୋଟି ବିଦ୍ୟାଳୟ ଉପକୃତ ହେଉଥିବାରୁ ଅବଶିଷ୍ଟ ଆଶା ବାନ୍ଧି ବସିଛନ୍ତି, ହୁଏତ ଆଗାମୀ ଦିନରେ ତାଙ୍କ ପାଳି ବି ପଡ଼ିବ। ଏହା ସ୍ବାଭାବିକ, ହେଲେ ଆଗାମୀ ଦିନକୁ ଅପେକ୍ଷା କରିବାକୁ ତ ହେବ, ମାତ୍ର ଆଉ ଏକ ବିଡ଼ମ୍ବନାର କଥା- ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ଆମ ସରକାରଙ୍କ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପାତରଅନ୍ତର ନୀତିକୁ ସାଧାରଣ ଜନତା ନାପସନ୍ଦ କରୁଛନ୍ତି। କାରଣ ଗୋଟିଏ ପଟେ କିଛି ସ୍କୁଲର ରୂପାନ୍ତରଣ କରାଯାଉଥିବାବେଳେ ତା’ ନିକଟସ୍ଥ ଆଉ ଏକ ବିଦ୍ୟାଳୟ ଶିକ୍ଷକ ଶୂନ୍ୟହୋଇ ବନ୍ଦ ହେବାକୁ ବସିଲାଣି । ସାଧାରଣତଃ ପିଲାଟି ତା’ ଘର ପାଖରେ ଥିବା ବିଦ୍ୟାଳୟରେ ପାଠ ପଢ଼ିଥାଏ, ସେ ବିଦ୍ୟାଳୟଟି କେଉଁ ବର୍ଗର ତାହା ପିଲାଟି ଜାଣିବ କାହିଁକି ? ସମାନ ପାଠ, ସମାନ ଡ୍ରେସ, ସମାନ ସମୟ ନିର୍ଘଣ୍ଟ, ସମାନ ପ୍ରଶ୍ନପତ୍ର, ସମାନ ପରୀକ୍ଷା ଆଉ ପାସ୍‌ କଲା ପରେ ସମାନ ସାର୍ଟିଫିକେଟ। ହେଲେ ସ୍କୁଲ ଭିନ୍ନ ଭିନ୍ନ ବର୍ଗର । ଆଉ ତା’ ଭିତରେ କେଉଁଟା ସରକାରୀ ଆଉ କେଉଁଟା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ତାହା ପିଲା ତ ପିଲା ତା’ ବାପାବୋଉ ବି ବୁଝିବା କଷ୍ଟକର ବ୍ୟାପାର।
କାରଣ ଗୋଟିଏ ସ୍କୁଲରେ ତେଲିଆ ମୁଣ୍ଡରେ ତେଲ ଢାଳିବା ଭଳି ସବୁ ଠିକ୍‌ଠାକ୍‌ ଥାଇବି ମାର୍ବଲ ଭାଙ୍ଗି ପୁଣି ନୂଆ ମାର୍ବଲ ବିଛା ଯାଉଥିବା ବେଳେ ଆଉ କେଉଁ ସ୍କୁଲରେ ଶୌଚାଳୟଟେ ବି ନiହିଁ।
ଲୋକମାନେ ବିଗତ ୩୮/୪୦ ବର୍ଷ ତଳେ ସେ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ନିୟମାନୁସାରେ ବିଭିନ୍ନ ପଞ୍ଚାୟତରେ କିମ୍ବା ୩/୪ଟି ପଞ୍ଚାୟତକୁ ନେଇ ହାଇସ୍କୁଲ ମାନ ପ୍ରତିଷ୍ଠା କରିଥିଲେ। ସମୟକ୍ରମେ ସେହି ବିଦ୍ୟାଳୟଗୁଡ଼ିକ ପୂର୍ଣ୍ଣାଙ୍ଗପ୍ରାପ୍ତ ହୋଇ ସରକାରୀ ପୂର୍ଣ୍ଣ ଅନୁଦାନ ପାଇ ଆସୁଛନ୍ତି। ପ୍ରବାଦପୁରୁଷ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହିଭଳି ବିଦ୍ୟାଳୟଗୁଡ଼ିକ ସରକାରୀକରଣ ପାଇଁ ଘୋଷଣା କଲେ, ଫଳରେ ୭ା୬ା୧୯୯୪ ସୁଦ୍ଧା ପୂର୍ଣ୍ଣାନୁଦାନ ପାଇଥିବା ସମସ୍ତ ବିଦ୍ୟାଳୟ ସରକାରୀ ମାନ୍ୟତା ପାଇଲା। କିନ୍ତୁ କିଛି ବିଦ୍ୟାଳୟ ବିଭିନ୍ନ କାରଣରୁ ଏଥିରୁ ବଞ୍ଚିତ ହୋଇ ରହିଗଲେ, ଯଦ୍ଦ୍ବାରା ସେତେବେଳେ ୨୯୨୯ ବିଦ୍ୟାଳୟ ସରକାରୀ ହେଲେ ଓ ପରେ କିଛି ଯୋଡ଼ିହେଲେ। ମାତ୍ର ୧ା୬ା୧୯୯୪ରୁ ପୂର୍ଣ୍ଣ ଅନୁଦାନ ପାଇଥିବା ଓ ଠିକ୍‌ ସମୟ ମଧ୍ୟରେ କାଗଜପତ୍ର ହସ୍ତାନ୍ତର କରିପାରି ନ ଥିବା କିଛି ସ୍କୁଲ ୭ା୬ା୧୯୯୪ରେ ପୂର୍ଣ୍ଣ ଅନୁଦାନ ପାଇଥିଲେ ମଧ୍ୟ ସରକାରୀ ହୋଇ ନ ପାରି ଏ ପର୍ଯ୍ୟନ୍ତ ସାହାଯ୍ୟପ୍ରାପ୍ତ ଅନୁଷ୍ଠାନ ହୋଇ ରହିଛନ୍ତି। ତେଣୁ ଏଯାବତ୍‌ ସେମାନେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ (Full G। . A)ଭାବରେ ରହିଛନ୍ତି। ଅବଶ୍ୟ ଏହି ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନେ ସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କ ସଙ୍ଗେ ସମାନ ଦରମା, ପେନ୍‌ସନ ଆଦି ପାଉଛନ୍ତି। କିନ୍ତୁ ୭ା୬ା୧୯୯୪ରେ ସରକାରୀକରଣ ପରେ ସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ରହିଥିବା ଖାଲି ପଦବୀ ଆଉ ପୂରଣ କରାଗଲା ନାହଁି। କେବଳ ସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଶିକ୍ଷକ ନିଯୁକ୍ତି କରାଯାଉଥିବା ବେଳେ ପୂର୍ବରୁ ସିଲେକଶନ ବୋର୍ଡ ମାଧ୍ୟମରେ ସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଯେଉଁ ନିଯୁକ୍ତି ଦିଆଯାଉଥିଲା ତାହା ଶୀତଳଭଣ୍ଡାରରେ ରହିଗଲା, ଯଦ୍ଦ୍ବାରା ଦୀର୍ଘ ବର୍ଷ ଧରି ଆଦୌ ଶିକ୍ଷକ ନିଯୁକ୍ତି ନ ହେବi ଫଳରେ ଅନେକ ପୁରାତନ ଲବ୍ଧପ୍ରତିଷ୍ଠିତ ବିଦ୍ୟାଳୟ ମଧ୍ୟ ଶିକ୍ଷକ ଶୂନ୍ୟ ହୋଇ ବନ୍ଦ ହେବାକୁ ବସିଲାଣି। ବର୍ଷକୁ ବର୍ଷ ଶିକ୍ଷକମାନେ ଅବସର ନେଉଥିଲାବେଳେ ନୂତନ ନିଯୁକ୍ତି ଆଦୌ ନାହିଁ।
ଏ ସମସ୍ୟାକୁ ଅତି ସହଜ ସରଳ ଭାବରେ ବୋଧଗମ୍ୟ ହେବା ପାଇଁ ଗୋଟିଏ ବିଦ୍ୟାଳୟର ଉଦାହରଣ ଉପସ୍ଥାପନ କଲେ ସମସ୍ତେ ସବୁକଥା ବୁଝିଯିବେ। ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର ଜିଲା (କେବିକେ ଅଞ୍ଚଳ) ବିନିକା ବ୍ଲକ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଙ୍ଘିଯୁବା ୧୯୮୪ରେ ସ୍ଥାପିତ ହୋଇ ଚାରିଗୋଟି ପଞ୍ଚାୟତର ପିଲା ପାଠପଢି ଆସୁଥିଲେ। ଏବେ ମଧ୍ୟ ୩ଟି ପଞ୍ଚାୟତର ପିଲାମାନେ ପାଠପଢୁଛନ୍ତି। ତାହା ୧ା୩ା୧୯୯୧ରେ ଅନୁଦାନପ୍ରାପ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇ ୧ା୬ା୧୯୯୪ଠାରୁ ସରକାରୀ ପୂର୍ଣ୍ଣ ଅନୁଦାନ ପାଇଆସୁଛି। ବିଦ୍ୟାଳୟର ଅବସ୍ଥିତି, ପରିବେଶ, ଶିକ୍ଷାଦାନ ଆଦି ପାଇଁ ଅନେକ ସରକାରୀ ସ୍କୁଲକୁ ପଛରେ ପକାଇ ଏକ ଅଗ୍ରଣୀ ବିଦ୍ୟାଳୟ ଭାବରେ ପରିଗଣିତ ହେଲା ଓ ପିଲା ସଂଖ୍ୟା ବୃଦ୍ଧି ପାଇ ୨୫୦-୩୦୦ ହେଲା। ତା’ର ସୁନ୍ଦର ପରିବେଶ, ବୃକ୍ଷରୋପଣ ତଥା ସଚେତନତା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାରଙ୍କଠାରୁ ୨୦୧୫ରେ ପ୍ରକୃତିମିତ୍ର ପୁରସ୍କାର ପାଇଲା। ପୁଣି ଏଠାରେ ଦୀର୍ଘ ୨୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇ ଶାନ୍ତିଶୃଙ୍ଖଳା ସହ ପରିଚାଳିତ ହୋଇଆସୁଛି। ଏହି ବିଦ୍ୟାଳୟର ମାଟ୍ରିକ ପରୀକ୍ଷା ଫଳ ୯୭% ପର୍ଯ୍ୟନ୍ତ ଯାଇଛି ଓ ରାଜ୍ୟ ସରକାର ବିଦ୍ୟାଳୟର ମାଟ୍ରିକ ଫଳକୁ ଦେଖି ୨୦୧୮ରେ ଶ୍ରେଷ୍ଠ ବିଦ୍ୟାଳୟ ମାନ୍ୟତା ଦେବା ସହ ସରକାର ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ବିଦ୍ୟାଳୟ ଅନେକ କୃତୀ ଛାତ୍ରୀଛାତ୍ର ସୃଷ୍ଟି କରିଛି, ଯେଉଁମାନେ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି ଓ ଅଞ୍ଚଳର ନେତୃତ୍ୱ ନେଉଛନ୍ତି। ମାତ୍ର ଏସବୁ ସତ୍ତ୍ବେ ବିଦ୍ୟାଳୟର ଆୟୁଷ ଆଉ ୩/୪ ବର୍ଷ ମାତ୍ର। କାରଣ ଶିକ୍ଷକ ନିଯୁକ୍ତି କଥାକୁ ସରକାର ସମ୍ପୂର୍ଣ୍ଣ ଅଣଦେଖା କରି ଦେଇଛନ୍ତି ଓ ଅନେକ ଶିକ୍ଷକ ଅବସର ନେଲେଣି। ୨/୪ ବର୍ଷ ଭିତରେ ସମସ୍ତେ ଅବସର ନେଇଯିବେ ଓ ବିଦ୍ୟାଳୟଟି ଶିକ୍ଷକଶୂନ୍ୟ ହୋଇଯିବ। ତେବେ ମୋ ସ୍କୁଲ ଅଭିଯାନ କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ଏହା ଗୋଟିଏ ଉଦାହରଣ ମାତ୍ର, ରାଜ୍ୟରେ ଏପରି ୬୫୦ଟି ହାଇସ୍କୁଲ ଏଭଳି ସ୍ଥିତିରେ ଅଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ, ଜଣେ ଶିକ୍ଷକ ଅବସର ବେଳେ ଏକ ଲକ୍ଷ ଟଙ୍କା ପାଖାପାଖି ଦରମା ପାଉଥାନ୍ତି, ଆଉ ସରକାର ଚୁକ୍ତିଭିତ୍ତିକ ଭାବରେ ଯୁବତୀଯୁବକମାନଙ୍କୁ ନବନିଯୁକ୍ତି ପ୍ରଦାନ କଲେ ସେତିକି ଟଙ୍କାରେ ଆଠ ଦଶଜଣ ଶିକ୍ଷକଙ୍କୁ ଅର୍ଥାତ ସମସ୍ତ ଶିକ୍ଷକଙ୍କ ଦରମା ଭରଣା ହୋଇପାରିବ।
ମୋଟ ଉପରେ କହିବାକୁ ଗଲେ କଲେଜ ସ୍ତରରେ ଯେଭଳି ସିଲେକ୍ସନ ବୋର୍ଡ ମାଧ୍ୟମରେ ସାହାଯ୍ୟପ୍ରାପ୍ତ କଲେଜଗୁଡ଼ିକ ପାଇଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲାଣି, ସ୍କୁଲ ପାଇଁ ଥିବା ସିଲେକ୍ସନ ବୋର୍ଡକୁ ପୂର୍ବବତ୍‌ କାର୍ଯ୍ୟକ୍ଷମ କରି ନିୟମିତ ବ୍ୟବଧାନରେ ଶିକ୍ଷକ ନିଯୁକ୍ତି କରାଯାଉ ଓ ତାହାର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରାଯାଉ, ଯଦ୍ଦ୍ବାରା ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନ ବଞ୍ଚିଯିବ ଓ ଜନସାଧାରଣ ମଧ୍ୟ ଉପକୃତ ହେବା ସାଙ୍ଗକୁ ସରକାରଙ୍କ ଉପରେ ଆସ୍ଥାପ୍ରକଟ କରିବେ। ପୁଣି ପର୍ଯ୍ୟାୟକ୍ରମେ ସମସ୍ତ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଯାଉ ଓ ଜିଲା ସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଦକ୍ଷ ଅଭିଜ୍ଞ ଶିକ୍ଷକମାନଙ୍କୁ ନେଇ ଏକ କମିଟି ଗଠନ କରି ବିଦ୍ୟାଳୟଗୁଡ଼ିକୁ ଯାଇ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ କରିବା ସହ ତ୍ରୁଟିବିଚ୍ୟୁତିକୁ ସଜଡାଯାଉ ଓ ଦକ୍ଷ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବା ସହ କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏପରିକି ସରକାରୀ ସ୍ବୀକୃତିପ୍ରାପ୍ତ, ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ବହି, ସାଇକେଲ ଓ ଷ୍ଟାଇପେଣ୍ଡ ଦିଆଯାଉ। ତାକୁ ବାଛବିଚାର କରି ବଞ୍ଚିତ କରା ନ ଯାଉ। ଏଭଳି ହେଲେ ସମସ୍ତ ବର୍ଗର ବିଦ୍ୟାଳୟର ଉନ୍ନତୀକରଣ ହେବାସହ ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ।
ପ୍ରାକ୍ତନ ଜିଲା ସମ୍ପାଦକ, ଓଷ୍ଟା,ସୁବର୍ଣ୍ଣପୁର, ମୋ: ୯୪୩୭୮୮୦୪୪୯