Advertisement

ଧାନ ଉଠୁନି, ଶୀତ କାକରରେ ଜଗିଛନ୍ତି ଚାଷୀ

କୁନ୍ଦୁରା,୨୨।୧(ଡି.ଏନ.ଏ.): କୋରାପୁଟ ଜିଲାରେ ଚଳିତ ଖରିଫ ଋତୁରେ ଅମଳ ପରେ ୨୫ ପ୍ରତିଶତ ଧାନ ଚାଷୀ ବିକ୍ରି କରିଥିବା ବେଳେ ୭୫ ପ୍ରତିଶତ ଧାନକୁ ଦୀର୍ଘ ଏକ ମାସ ହେବ ମଣ୍ଡିରେ ପଡିରହିଛି। ଚାଷୀ ଅସହ୍ୟ ଥଣ୍ଡାରେ ଧାନ ଜଗିଛି । ନଭେମ୍ବରରୁ ଚାଷୀ ପଞ୍ଜୀକରଣ ଅନୁଯାୟୀ ବିଭିନ୍ନ ଅସ୍ଥାୟୀ ମଣ୍ଡିସ୍ଥଳରେ ଧାନ ଗଦେଇଛନ୍ତି । ପ୍ରତି ମଣ୍ଡିରେ ଯେଉଁ ଚାଷୀଙ୍କର ପଞ୍ଜୀକରଣ ହୋଇଥାଏ ସେହି ଚାଷୀଙ୍କଠାରୁ ପ୍ରଶାସନ ଧାନ କିଣିଥାଏ। ଚଳିତବର୍ଷ ଜାନୁୟାରୀ ୧ରୁ ପ୍ରଶାସନ ଚାଷୀଙ୍କ ଧାନ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। କେତେକ ସ୍ଥାନରେ ପ୍ରତିବାଦରେ ରାସ୍ତାରୋକୋ ହୋଇଛି। ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ପ୍ରାୟ ୧ଲକ୍ଷ ୨୫ହଜାର କୁଇଣ୍ଟାଲ ଖରିଫ ଧାନ କେବଳ କୁନ୍ଦୁରା ବ୍ଲକରେ କ୍ରୟ ହୋଇପାରିନାହିଁ। ଆରମ୍ଭରୁ ପ୍ରଶାସନ ଧାନ ସଂଗ୍ରହ ଲାଗି ଜଣେ ଲେଖାଏ ମିଲରଙ୍କୁ ପ୍ରତି ମଣ୍ଡି ପିଛା ଧାନ ଉଠେଇବାକୁ ଦାୟିତ୍ୱ ଦେଇଥିଲେ। ଚଳିତ ସପ୍ତାହରେ ଜିଲା ପ୍ରଶାସନରେ ନିର୍ଦ୍ଦେଶରେ ବିଡିଓ, ତହସିଲଦାର, ସମବାୟ ବିଭାଗ ନିୟନ୍ତ୍ରିତ ବଜାର କମିଟିକୁ କେଉଁ ମଣ୍ଡିରେ କେତେ ଧାନ ଗଚ୍ଛିତ ଅଛି ରିପୋର୍ଟ ଜିଲା ପ୍ରଶାସନ ଏବଂ ଯୋଗାଣ ବିଭାଗକୁ ଦେଇଛି। ତେବେ କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତର ଲ୍ୟାମ୍ପସ ଅଧୀନରେ ଥିବା ମଣ୍ଡି ମଧ୍ୟରୁ ୨ଟି ଲ୍ୟାମ୍ପସ ଏବଂ ୪ଟି ଏସ୍‌ଏଚ୍‌ଜିକୁ ଧାନକ୍ରୟ କରିବା ନେଇ ଟାର୍ଗେଟ ମିଳିଥିବା ଶୁଣିବାକୁ ମିଳୁଛି। ପ୍ରଶାସନକୁ ଏନେଇ ପଚାରିଲେ ଆଜି କାଲି କହି ସମୟ ଗଡ଼ାଉଛି। ସୂଚନାଯୋଗ୍ୟ, କୁନ୍ଦୁରା, ଡଙ୍ଗରପାଉଁଶୀ, ଖଟଲାପଦର ଏବଂ ଦିଗପୁର ଏସ୍‌ଏଚ୍‌ସି ସମେତ ଲ୍ୟାମ୍ପସରେ ୨୮୩୨ ଜଣ ଚାଷୀ ଖରିଫ ଋତୁ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଅନ୍ୟପକ୍ଷରେ ମଣ୍ଡିରୁ ଶୀଘ୍ର ଧାନ ନ ଉଠିଲେ ଆଗାମୀ ଦିନରେ ଚାଷୀ ରାସ୍ତାକୁ ଓହ୍ଲାଇବେ ବୋଲି କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share