ଆବୁଧାବି,୩।୧୧: ଟି-୨୦ ବିଶ୍ୱକପ୍ରେ ବାବର ଆଜାମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳର ପ୍ରଦର୍ଶନ ଭଲ ରହିଛି। ଦଳ ମଧ୍ୟ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଦଳ ନାମ୍ବିଆକୁ ୪୫ ରନରେ ପରାସ୍ତ କରିଛି। ଏହା ଦଳର କ୍ରମାଗତ ଚତୁର୍ଥ ବିଜୟ, କିନ୍ତୁ ବାବର ଦଳକୁ ନେଇ ଖୁସି ନୁହଁନ୍ତି। ନାମ୍ବିଆ ବିପକ୍ଷରେ ଦଳର ଫିଲ୍ଡିଂ ଭଲ ନ ଥିଲା। ଏହା ଦେଖି ଆଜମ ରାଗିଯାଇଛନ୍ତି। ନଭେମ୍ବର ୭ରେ ମ୍ୟାଚରେ ଦଳ ସ୍କଟଲ୍ୟାଣ୍ଡକୁ ଭେଟିବ।
ମ୍ୟାଚ ପରେ ବାବର ଆଜାମ କହିଛନ୍ତି, କାକର ଯୋଗୁ ଫିଲ୍ଡିଂରେ କିଛି ଅସୁବିଧା ହୋଇଥିଲା। କିନ୍ତୁ ଏହା କୌଣସି ବାହାନା ନୁହେଁ। ଆମକୁ ଭଲ କରିବାକୁ ହେବ। ତେବେ ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲର ଯୋଜନା ଅନୁଯାୟୀ ଖେଳିଥିଲେ। ସିନିୟର ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜ ଏବଂ ଦ୍ରୁତ ବୋଲର ହାସନ ଅଲି ପ୍ରଥମ ତିନୋଟି ମ୍ୟାଚରେ ଅଧିକ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ଉଭୟ ନାମ୍ବିଆ ବିପକ୍ଷରେ ଭଲ ଖେଳିଥିଲେ। ଏହା ଉପରେ ବାବର କହିଛନ୍ତି ଯେ ଉଭୟ ଖେଳାଳି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଶାକରେ ସେମାନେ ଆଗାମୀ ମ୍ୟାଚରେ ମଧ୍ୟ ଏହି ପ୍ରଦର୍ଶନ ବଜାୟ ରଖିବେ।