ଚିଠିରେ ଭୁଲ୍‌ ଲେଖିଦେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ହାଟଡିହୀ,୨୭ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ସଢା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ଚିଠିରେ ଭୁଲ ଲେଖି ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କର ଚିଠିକୁ ଦେଖିଲେ ଖାମଖିଆଲି ନୀତି ସ୍ପଷ୍ଟ ବାରି ହୋଇପଡୁଛି।
ଖବରରୁ ଜଣାଯାଇଛି ଯେ, ସୂଚନା ଅଧିକାର ନିୟମ ଅନୁସାରେ ଜଣେ ଆବେଦନକାରୀ ସଢ଼ା ଗ୍ରାମପଞ୍ଚାୟତ ସମ୍ପର୍କିତ ସୂଚନା ପାଇଁ ଗତ ତା-୧୬.୧.୨୦୨୪ରେ ହାଟଡିହୀ ବ୍ଲକ କାର୍ଯ୍ୟାଳୟ ଜନ ସୂଚନା ଅଧିକାରୀଙ୍କ ନିକଟରେ ଦରଖାସ୍ତ ଆବେଦନ କରିଥିଲେ। କୌଣସି ସୂଚନା ମିଳି ନ ଥିଲା। ଫଳରେ ପ୍ରଥମ ଅପିଲେଟ ଅଧିକାରୀ ତଥା ବିଡିଓଙ୍କ ନିକଟରେ ତା-୧୯.୨.୨୦୨୪ରେ ଅପିଲ ଦାୟର ହୋଇଥିଲା। ଶୁଣାଣି ପାଇଁ ୨୨.୪.୨୦୨୪କୁତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି ଅର୍ଡର ପ୍ରକାଶିତ ହେବା ବାବଦରେ ଜଣାଯାଇ ନ ଥିଲା। କିନ୍ତୁ ଚିଠି ନଂ ୧୭/୧୮.୬.୨୦୨୪ ରେ ସଢା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହରିହର ସେଠୀ ଏକ ଚିଠି ଆବେଦନକାରୀଙ୍କୁ ପ୍ରଦାନ କରିଛନ୍ତି। ସେ ଚିଠିରେ ଗୋଟିଏ ସ୍ଥାନରେ ଉଲ୍ଲେଖ କରିଛନ୍ତି ଯେ, ଜେରକ୍ସ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଏବଂ ଆଉ ଏକ ସ୍ଥାନରେ ୭ ହଜାର ଟଙ୍କା ଗ୍ରାମ ପଞ୍ଚାୟତରେ ଦାଖଲ କରିବେ l କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ବାବଦରେ କେତେ ଖର୍ଚ୍ଚ ଦେବାକୁ ପଡ଼ିବ ତାହା ତାହା ଉଲ୍ଲେଖ କରିନାହାନ୍ତି। ଯାହାକି ସୂଚନା ଅଧିକାର ଆଇନ ଅନୁସାରେ ଭୁଲ୍‌ ବୋଲି ନିୟମ ରହିଛି। ଏପରି ଭୁଲ୍‌ ଚିଠିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ରାଜ୍ୟ ସୂଚନା କମିଶନଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି।