ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଅଭିଭାବକ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଅର୍ଗାନାଇଜେଶନ ଅଫ୍‌ ପ୍ୟାରେଣ୍ଟ୍‌ସ ଫେଡ଼େରେଶନ(ଓଫାଫ୍‌) ପକ୍ଷରୁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ ଘେରାଉ କରାଯାଇଥିଲା। ଅଭିଭାବକମାନେ ଘଣ୍ଟ ହୁଳହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘରୋଇ ସ୍କୁଲ୍‌ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ। ସେମାନେ କହିଛନ୍ତି, ମହାମାରୀ କରୋନା ପାଇଁ ପ୍ରାୟ ୯ମାସ ହେବ ବିଦ୍ୟାଳୟ ବନ୍ଦ ରହିଛି। ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଛି। ଯେଉଁ ଅଭିଭାବକ ସ୍କୁଲ୍‌ ଫି’ ଦେଇପାରିନାହାନ୍ତି, ସେମାନଙ୍କ ପିଲାଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବାହାର କରି ଦିଆଯାଉଛି। ଟିସି ନେଇଯିବାକୁ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ଛାତ୍ରୀଛାତ୍ରଙ୍କୁ ଧମକ ଦେଇ ମାନସିକ ନିର୍ଯାତନା ଦିଆଯାଉଛି। ତେଣୁ ଘରୋଇ ସ୍କୁଲ ଫି’ ଉପରେ ସରକାର ଅଙ୍କୁଶ ଲଗାଇବାକୁ ସଂଘ ଦାବି କରିଛି। ଏ ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଘରୋଇ ସ୍କୁଲ ଫି’କୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି। ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି।
ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦେଇଛନ୍ତି ଯେ, ଘରୋଇ ସ୍କୁଲଗୁଡ଼ିକ ଉପରେ ସରକାରଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। କିନ୍ତୁ ଅଭିଭାବକଙ୍କ କହିବା କଥା, ଓଡ଼ିଶା ଶିକ୍ଷା ଆଇନ୍‌ ଓ ୧୯୯୬ ସେପ୍ଟେମ୍ବର ୨୩ ରିଜୋଲ୍ୟୁଶନରେ ଘରୋଇ ସ୍କୁଲ୍‌ ଉପରେ ସରକାରଙ୍କ ନିୟନ୍ତ୍ରଣ କଥା ଉଲ୍ଲେଖ ରହିଛି। ଏଥିସହ ଯେତିକି ସେବା, ସେତିକି ଫି’ ନେବାକୁ ନିୟମ ରହିଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲ୍‌ ଫି’ ନେବା ଉଚିତ। କିନ୍ତୁ ସରକାର ଜାଣିଶୁଣି ଏହି ଅଧିନିୟମକୁ ଲୁକ୍କାୟିତ ରଖି କୋର୍ଟ ନିଷ୍ପତ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି। ଘରୋଇ ବିଦ୍ୟାଳୟଗୁଡ଼ିକ ସହିତ ସରକାରଙ୍କ ମଧୁଚନ୍ଦ୍ରିକା ସମ୍ପର୍କ ରହିଥିବା ଜଣାପଡୁଛି। ଯଦି ସରକାର ଅଭିଭାବକଙ୍କ ଏହି ସମସ୍ୟାକୁ ତୁରନ୍ତ ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଓଫାଫ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

Share