ପରୀ ମାମଲା ଶୁଣାଣି ୨ ଦିନ ଘୁଞ୍ଚିଲା

ନୂଆଦିଲ୍ଲୀ,୧୪ା୭: ନୟାଗଡ଼ ଜିଲା ଯଦୁପୁର ଗ୍ରାମର ୫ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଗୁରୁବାରକୁ ଘୁଞ୍ଚତ୍ଛି। ପରୀର ମା’ ସୌଦାମିନୀ ଝିଅର ହତ୍ୟା ଘଟଣାର ସିବିଆଇ ତଦନ୍ତ ନିମନ୍ତେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ବିଚାରପତି ଏ.ଏମ୍‌. ଖାନ୍‌ଓ୍ବିଲ୍‌କର ଏବଂ ସଞ୍ଜୀବ ଖାନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେବାର ଥିଲା। ହେଲେ କୌଣସି କାରଣରୁ ଏହା ହୋଇ ନ ପାରି ଗୁରୁବାରକୁ ଘୁଞ୍ଚତ୍ଛି।
ମା’ ସୌଦାମିନୀ ତାଙ୍କ ଆବେଦନରେ ଝିଅ ପରୀର ହତ୍ୟା ଏବଂ ତା’ ଶରୀରର ବିଭିନ୍ନ ଅଙ୍ଗ ଚାଲାଣ କରାଯିବା ଘଟଣାରେ ବାବୁଲି ନାୟକଙ୍କୁ ଦାୟୀ କରିଛନ୍ତି। ଏପରି କି ପୋଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବାବେଳେ ପରୀର ପରିବାର ଲୋକଙ୍କୁ ଅପରାଧୀ ଭଳି ବ୍ୟବହାର କରୁଛି ବୋଲି ଉଲ୍ଲେଖ କରିଛନ୍ତି। ଘଟଣାର ପ୍ରାଥମିକ ତଦନ୍ତ ପୋଲିସ, କ୍ରାଇମବ୍ରାଞ୍ଚ ଓ ଏସ୍‌ଆଇଟି ଦ୍ୱାରା କରାଯାଇଛି। ସମସ୍ତେ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବାକୁ ଚେଷ୍ଟା କରିବା ସହ ଅଭିଯୋଗକାରୀ ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ଅଭିଯୋଗକୁ ମିଥ୍ୟା ଏବଂ କପୋଳକଳ୍ପିତ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। ଏପରି କି ସ୍ଥାନୀୟ ପୋଲିସ ଅଧିକାରୀ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ହେଉଥିବା ଅଭିଯୋଗକୁ ଏସ୍‌ଆଇଟି ତଦନ୍ତ ପରିସରଭୁକ୍ତ କରି ନାହାନ୍ତି। ତେଣୁ ଏସ୍‌ଆଇଟିଙ୍କ ତଦନ୍ତ ଉପରେ ଭରସା ନ କରି ଘଟଣାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ସୌଦାମିନୀ ଆବେଦନ କରିଛନ୍ତି।
ପ୍ରକାଶ ଯେ, ୨୦୨୦ ଜୁଲାଇ ୧୪ରେ ଯଦୁପୁର ଗ୍ରାମର ୫ବର୍ଷୀୟା ଶିଶୁ କନ୍ୟା ପରୀ ଘର ନିକଟରେ ଖେଳୁଥିବାବେଳେ ତାକୁ କେହି ଅପହରଣ କରି ନେଇଥିଲେ। ଏନେଇ ପରିବାର ଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ପରୀର ସନ୍ଧାନ ପାଇ ନ ଥିଲା। ୧୦ଦିନ ପରେ ଏକ ଜରି ଅଖା ଭିତରେ ପରୀର ମୃତ ଦେହ ବାଡ଼ି ପଛପଟ ଏକ ବୁଦା ମୂଳରୁ ମିଳିଥିଲା।

Share