Categories: ଫୁରସତ

୨୧ବର୍ଷ ଧରି ବନ୍ଦ ପଡ଼ିଛି ପାର୍କ

ବର୍ଲିନ୍‌: ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଇଁ ଅନେକ ପାର୍କ ରହିଥାଏ। ହେଲେ ବର୍ଲିନ୍‌ରେ ଏପରି ଏକ ପାର୍କ ରହିଛି, ଯାହା ଦୀର୍ଘ ୨୧ ବର୍ଷ ଧରି ବନ୍ଦ ପଡ଼ିଛି। ପାର୍କର ନାମ ସ୍ପ୍ରି ପାର୍କ ଏବଂ ଏହା ଏକ ମନୋରଞ୍ଜନ ଭିତ୍ତିକ ପାର୍କ। ପାର୍କଟି ଖାଲି ପଡ଼ିବାରୁ ଏବେ ଏହାର ଥିମ୍‌ ବହୁ ଆତଙ୍କଜନକ ଭଳି ଲାଗୁଛି। ଏଠାରେ ଥିବା ବଡ଼ ବଡ଼ ଜିନିଷରେ କଳଙ୍କି ଲାଗି ଗଲାଣି। ରିପୋର୍ଟ ମୁତାବକ, ଏହି ପାର୍କ ୧୯୬୯ରେ ନିର୍ମାଣ କରାଯାଇଥିଲା। ପୂର୍ବରୁ ଏଠାକୁ ଅନେକ ଲୋକ ବୁଲିବାକୁ ଆସୁଥିଲେ। ହେଲେ ଥରେ ସେଠାରେ ଏକ ବଡ଼ ଧରଣର ଡ୍ରଗ୍ସ କାରବାର ଧରା ପଡ଼ିବାରୁ ପାର୍କକୁ ସେପରି ଛାଡ଼ି ଦିଆଗଲା। ବର୍ଲିନର ସ୍ପ୍ରି ନଦୀର ପାଖରେ ଥିବା ଏହି ପାର୍କରେ ଏବେ ବି ଅନେକ ପ୍ରକାର ଖେଳନା ଥିବା ଦେଖିବାକୁ ମିଳିବ। ପୂର୍ବରୁ ଏହାର ନାମ କୁଲଟୁର୍‌ ପାର୍କ ପ୍ଲାଣ୍ଟରୱାଲର୍‌ଡ ରଖାଯାଇଥିଲା। ୭୦ ଦଶକରେ ଏହି ପାର୍କ ଅଧିକ ଜଣାଶୁଣା ଥିଲା। ବହୁତ ସଂଖ୍ୟାରେ ଲୋକ ଏଠାକୁ ବୁଲିବାକୁ ଆସୁଥିଲେ। ସେତେବେଳେ ପାର୍କକୁ ପୂର୍ବ ଜର୍ମାନୀର କମ୍ୟୁନିଷ୍ଟ ସରକାର ଦେଖାଶୁଣା କରୁଥିଲା। ୧୯୯୧ରେ ପାର୍କର ସଞ୍ଚାଳକ ନୋର୍ବେର୍ଟ ୱିଟେ ଏହାକୁ ତାଙ୍କ ଅଧୀନକୁ ନେଇଗଲେ। ପରେ ସେ ଏହି ପାର୍କର ନାମ ବଦଳାଇ ସ୍ପ୍ରି ପାର୍କ ରଖିଦେଲେ। ଏହାପରେ ଅନେକ ମନୋରଞ୍ଜନ ଭିତ୍ତିକ ପାର୍କ ତିଆରି ହେବାରୁ ସରକାର ମଧ୍ୟ ଏହାର ଦେଖାଶୁଣା କରିବା ବନ୍ଦ କରିଦେଲେ। ଧୀରେ ଧୀରେ ପାର୍କରେ ଲୋକଙ୍କ ସଂଖ୍ୟା ମଧ୍ୟ କମିବାକୁ ଲାଗିଲା। ପରେ ୱିଟେ ଡ୍ରଗ୍ସ ମାମଲାରେ ଧରାପଡ଼ିଲେ। ଏହାପରେ ୨୦୦୨ରେ ଏହି ପାର୍କକୁ ବନ୍ଦ କରିଦିଆଗଲା।

Share