ନୂଆଦିଲ୍ଲୀ,୧୩।୯:ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ବ୍ୟାଙ୍କଗୁଡିକ ବର୍ତ୍ତମାନ ସୁଦ୍ଧା ଉକ୍ତ ବର୍ଗରେ ପ୍ରାୟ ୯୦%ରୁ ଊର୍ଦ୍ଧ୍ୱ ଋଣ ମଞ୍ଜୁର କରିଥିବା ଜଣାପଡିଛି। କୋଭିଡ୍-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ଉଠାଦୋକାନୀଙ୍କୁ ସହାୟତା କରିବା ଲାଗି ସରକାର ଋଣ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ଉଠାଦୋକାନୀଙ୍କ ଲାଗି ଆତ୍ମନିର୍ଭର ନିଧି ବା ପିଏମ୍ ସ୍ବନିଧି ଯୋଜନା ଜୁନ୍ ପହିଲାରେ ଘୋଷଣା କରିଥିଲେ। ଲକ୍ଡାଉନ ଲାଗି ଲୋକଙ୍କର ଜୀବିକା ପ୍ରଭାବିତ ହୋଇଥିବାରୁ ଏଭଳି ଏକ ଯୋଜନା ଘୋଷଣା କରାଯାଇଥିଲା। ଏହାଦ୍ୱାରା ଗୋଟିଏ ବର୍ଷ ଅବଧି ଲାଗି ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। କେନ୍ଦ୍ର ସରକାର ଆଣିଥିବା ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି।