Categories: Uncategorized

ଓଡ଼ିଶାରେ ପାସ୍‌ ହାର ଉତ୍ସାହଜନକ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ସିଆଇଏସ୍‌ସିଇ ବୋର୍ଡ ପକ୍ଷରୁ ରବିବାର ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ରବିବାର ଅପରାହ୍ନରେ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଛାତ୍ରୀଛାତ୍ର ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ଦଶମ ପାସ୍‌ ହାର ୯୮.୫୪ ପ୍ରତିଶତ (ଦେଶରେ ୯୮.୯୪%) ଓ ଦ୍ୱାଦଶ ପାସ୍‌ ହାର ୯୬.୫୦ ପ୍ରତିଶତ (ଦେଶରେ ୯୬.୯୩%) ରହିଛି। ଉଭୟରେ ଛାତ୍ରଙ୍କଠାରୁ ଛାତ୍ରୀ ଆଗରେ ରହିଛନ୍ତି।
ଚଳିତବର୍ଷ ଓଡ଼ିଶାରୁ ଆଇସିଏସ୍‌ଇ ପରିଚାଳିତ ୯୩ଟି ବିଦ୍ୟାଳୟର ୯୧୬୧ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୫,୦୪୪ଜଣ ଛାତ୍ର ଓ ୪୧୧୭ଜଣ ଛାତ୍ରୀ ଥିଲେ। ତେବେ ଛାତ୍ରୀଙ୍କ ପାସ୍‌ ହାର ୯୮.୯୧ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍‌ ହାର ୯୮.୨୪ ରହିଛି। ଅନ୍ୟପଟେ ୨୮ଟି ବିଦ୍ୟାଳୟର ୧୮୩୧ ବିଦ୍ୟାର୍ଥୀ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୯୩୪ଜଣ ଛାତ୍ର ଓ ୮୯୭ ଜଣ ଛାତ୍ରୀ ଥିଲେ। ଛାତ୍ରୀଙ୍କ ପାସ୍‌ ହାର ୯୭.୭୭ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୨୯ ପ୍ରତିଶତ ରହିଛି।
ଆଇସିଏସ୍‌ଇ ଦଶମରେ ଓଡ଼ିଶାରୁ ପ୍ରଥମ ସ୍ଥାନରେ ଭୁବନେଶ୍ୱରର ପ୍ରିୟଙ୍କା ପରାଶର ଓ ଛତ୍ରପୁରର ବିଷ୍ଣୁ ପ୍ରସାଦ ଶତପଥୀ ରହିଛନ୍ତି। ଉଭୟ ୪୯୭ (୯୯.୪୦%) ମାର୍କ ହାସଲ କରିଛନ୍ତି। ସେହିପରି ରାଉରକେଲାର ସଞ୍ଜନା ପଲାଇ, ପ୍ରେମା ମଞ୍ଜରୀ, ଭୁବନେଶ୍ୱରର ପ୍ରୀତିକା ମିଶ୍ର, ଆୟୁଶ ନନ୍ଦ ୪୯୬(୯୯.୨୦%) ମାର୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ରାଉରକେଲାର ଓଜଲ ଆକାଶ, ଓମ୍‌କାର ମହାପାତ୍ର ଓ ଅମରେନ୍ଦ୍ର ସ୍ବାଇଁ ୪୯୫(୯୯%) ମାର୍କ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ଆଇଏସ୍‌ସି ଦ୍ୱାଦଶରେ ରାଉରକେଲାର ଦିଶା ଗୋୟଲ ୩୯୩ (୯୮.୨୫%) ମାର୍କ ସହ ରାଜ୍ୟ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ସ୍ତୁତିଲେଖା ପଟ୍ଟନାୟକ ୩୯୨ (୯୮%) ପ୍ରତିଶତ ମାର୍କ ରଖିଛନ୍ତି। ରାଉରକେଲାର ସୁଦୀପା ଅଧିକାରୀ ଓ ଶ୍ରେୟା ଦତ୍ତା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟ ୩୯୦(୯୭.୫) ମାର୍କ ରଖିଛନ୍ତି।