Advertisement

ଯାତ୍ରୀ ବିଶ୍ରାମାଗାର ଜରାଜୀର୍ଣ୍ଣ

ବଅଁରପାଳ,୧୭ା୬(ଉପେନ୍ଦ୍ର ରାଉତ) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ଥିବା ଯାତ୍ରୀ ବିଶ୍ରାମାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ହୋଇ ରହିଛି। ଫଳରେ ପଥଚାରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ବଳରାମପ୍ରସାଦ ବସ୍‌ଷ୍ଟାଣ୍ଡ ଦେଇ ଅନୁଗୋଳ, ତାଳଚେର, ଢେଙ୍କାନାଳ, କଟକ, ଭୁବନେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ସମେତ ବିଭିନ୍ନ ସ୍ଥାନକୁ ବସ୍‌ ଯାତାୟାତ କରିଥାଏ। ମାତ୍ର ବିଶ୍ରାମାଗାର ଭାଙ୍ଗି ଯାଇଥିବାରୁ ଯାତ୍ରୀମାନେ ଗଛମୂଳେ ଏବଂ ନିକଟସ୍ଥ ଦୋକାନରେ ରହି ବସକୁ ଅପେକ୍ଷା କରୁଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ସେମାନଙ୍କୁ ଡହଡହ ଖରାରେ ଅପେକ୍ଷା କରିବାକୁ ପଡୁଛି। ପରିସ୍ରାଗାର ଏବଂ ପାନୀୟ ଜଳର ସୁବିଧା ନ ଥିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍‌ଷ୍ଟାଣ୍ଡ ଉପରେ ବଳରାମପ୍ରସାଦ, ପିଙ୍ଗୁଆପାଣି, କେନ୍ଦୁପଲି, ଟେଣ୍ଟଲୋଇ ସମେତ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ନାଲକୋ ପଉଁଶ ପୋଖରୀ ନିକଟରେ ଏହି ବସ୍‌ଷ୍ଟାଣ୍ଡ ରହିଥିଲେ ମଧ୍ୟ ଏହାର ଉନ୍ନତି ପ୍ରତି ନାଲ୍‌କୋ ପକ୍ଷରୁ କୌଣସି ଦୃଷ୍ଟି ଦିଆଯାଉ ନାହିଁ। ଏ ସମ୍ପର୍କରେ ବଳରାମପ୍ରସାଦ ଯୁବନେତା ଅନିଲ ବେହେରା, ସତ୍ୟବାନ ଦାସ ପ୍ରମୁଖ କହିଛନ୍ତି, ଦୀର୍ଘଦିନ ହେଲା ଯାତ୍ରୀ ବିଶ୍ରାମାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ଯାତ୍ରାମାନେ ଖରାରେ ବସି ବସ୍‌କୁ ଅପେକ୍ଷା କରୁଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share