ଚଣ୍ଡିଖୋଲ,୩ା୨(ଡି.ଏନ.ଏ.):ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲା ଦେଇ ଯାଇଛି ହରିଦାସପୁର-ପାରାଦୀପ ରେଳପଥ। ଦୀର୍ଘ ବର୍ଷ ଧରି ଅପେକ୍ଷା ପରେ ଏହି ରେଳପଥରେ ୧ା୮ା୨୦୨୦ରେ ପ୍ରଥମ କରି ରେଳ ଚଳାଚଳ ଆରମ୍ଭ ହୋଇଥିଲା। ସେତେବେଳେ କୋଭିଡ୍ କଟକଣା ଥିବାରୁ ରେଲଓ୍ବେ ପକ୍ଷରୁ କୁହାଗଲାଯେ, ପ୍ରଥମେ ମାଲବାହୀ ଓ ପରେ ପାସେଞ୍ଜର ଟ୍ରେନ ଚାଲିବ। ତେବେ ଏହା ମଧ୍ୟରେ ୩୦ ମାସ ବିତି ଗଲାଣି। କିନ୍ତୁ ପସେଞ୍ଜର ଟ୍ରେନ ଚାଲ ପାରିଲା ନାହିଁ। ଅହମ୍ମଦାବାଦର ଏକ ଠିକା ସଂସ୍ଥା ଆସି ରେଳପଥର ଦୋହରୀକରଣ ନିମନ୍ତେ ସର୍ଭେକଲାଣି। ମାତ୍ର ଉକ୍ତ ରେଳପଥରେ ପାସେଞ୍ଜର ଟ୍ରେନ୍ ଚାଲିପାରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ରେଲ୍ଓ୍ବେ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି।
ସୂଚନା ଥାଉକି, ୧୯୯୭ରେ ପ୍ରଥମ କରି ଏହି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହେବାରୁ ରେଳ ପଥ ନିର୍ମାଣରେ ମଧ୍ୟ ବହୁ ବିଳମ୍ବ ହୋଇଛି, ଯାହାହେଉ ଏହାର କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଥିଲା। ଏହାକୁ ଭାରତର ପ୍ରଥମ ଫାଟକ ବିହୀନ ରେଳପଥ ବୋଲି ଘୋଷଣା କରାଯାଇଥିଲା। ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି, ଲଳିତଗିରି ଓ ରତ୍ନଗିରି ସମେତ ଜାତୀୟ ଉଦ୍ୟାନ ଭିତରକନିକାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଏହି ରେଳପଥ ସହାୟକ ହେବ ବୋଲି କୁହାଯାଇଥିଲା। ୮୨ କିଲୋମିଟର ଲମ୍ବ ଏହି ରେଳପଥ ପାଇଁ ଧୀରେଧୀରେ ଖର୍ଚ୍ଚ ବୃଦ୍ଧି ପାଇ ୧୫ ଶହ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଏହାକୁ ପ୍ରଥମ କରି ପିପିପି ମୋଡ୍ରେ କରାଯାଇଥିଲା। ଯେଉଁଥିରେ ଓଡ଼ିଶା ସରକାର, ରେଳ ବିକାଶ ନିଗମ ଲିମିଟେଡ୍, ଓଏମ୍ସିଏଲ, ପିପିଟି, ସେଲ, ଆଇଆଇଡିସି, ଏସ୍ଏଲ୍ ମାଇନିଂ, ରୁଙ୍ଗଟା ମାଇନ୍ସ, ଏମ୍ଏସ୍ପିଏଲ୍ ଓ ଜେଏସ୍ପିଏଲ୍ ଆଦି କମ୍ପାନୀ ସେମାନଙ୍କ ଅର୍ଥ ଏଥିରେ ଖର୍ଚ୍ଚ କରିଛନ୍ତି। ପ୍ରଥମେ ପାସେଞ୍ଜର ଟ୍ରେନ ଚାଲିବା ଦାବିକରି ଆନ୍ଦୋଳନ ହୋଇଥିଲା। ସେତେବେଳେ କୁହାଗଲା ଷ୍ଟେଶନଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ଶେଷ ହେବା ପରେ ପାସେଞ୍ଜର ଟ୍ରେନ ଚାଲିବ। ସେଥିପାଇଁ କେନ୍ଦ୍ର ସରକାର ୨୦୨୧-୨୨ ରେଳ ବଜେଟରେ ୧୦୦ କୋଟି ଟଙ୍କା ବରାଦ କରିଥିଲେ। ଏହି ରେଳପଥରେ ୧୧ ଷ୍ଟେଶନ ନିର୍ମାଣ ହୋଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୪, କେନ୍ଦ୍ରାପଡ଼ାରେ ୫ ଓ ଜଗତ୍ସିଂହପୁର ଜିଲାରେ ୨ଟି ରହିଛି। ଏହାମଧ୍ୟରେ ଷ୍ଟେଶନର ଉନ୍ନତୀକରଣ କାର୍ଯ୍ୟ ଶେଷ ହୋଇସାରିଛି। କେବଳ ଅପେକ୍ଷା ପାସେଞ୍ଜର ଟ୍ରେନ ଚଳାଇବାକୁ। ଏ ସମ୍ପର୍କରେ ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ଆଶା ରଖିଛୁ ଖୁବ୍ଶୀଘ୍ର ପାସେଞ୍ଜର ଟ୍ରେନ ଚାଲିବ। ଏନେଇ ପ୍ରଧାନମନ୍ତ୍ରୀ ନିକଟରେ ଓଡ଼ିଶା ଆସୁଛନ୍ତି। ମାତ୍ର ଦୋହରୀକରଣ ନିମନ୍ତେ କୌଣସି ବଜେଟରେ ବ୍ୟୟବରାଦ ହୋଇନାହିଁ।