ଦାରିଙ୍ଗବାଡ଼ି,୨୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ ୧୪ ଚକିଆ ଟ୍ରକ୍ ବୁଲାଣି ଘାଟିରେ ଅଟକି ରହିଯିବାରୁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁରରୁ ବାଲିଗୁଡା, ଦାରିଙ୍ଗବାଡ଼ି ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଘାଟି ଉପରେ ଏକାଧିକ ଯାତ୍ରୀବାହୀ ବସ୍ ସମେତ ପରିବା ନେଇ ଯାଉଥିବା କାର୍ଗୁଡିକ ଘାଟିର ଦୁଇ ପାର୍ଶ୍ୱରେ ଅଟକି ରହିଛି। ଗୋଟିଏ ପଟେ ଘାଟିରେ ପ୍ରବଳ ବର୍ଷା ପାଇଁ ଅଟକିଥିବା ଟ୍ରକକୁ ବୁଲାଣି ରାସ୍ତାରୁ ହଟାଯାଇପାରିନି।
ପ୍ରକାଶ ଯେ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ଉକ୍ତ ଘାଟି ରାସ୍ତା ଆରମ୍ଭ ହେଉଥିବା ଉଭୟ ଗାଜଲବାଡି ଏବଂ ଦାରିଙ୍ଗବାଡ଼ି ପଟୁ ଭାରୀଯାନ ନେବା ପାଇଁ ବାରଣ କରାଯାଇ ବଡ଼ ହୋର୍ଡିଂ ଲଗାଯାଇଛି ହେଲେ ଏହାକୁ କେହି ଖାତିର କରୁ ନ ଥିବା ବେଳେ ଜାତୀୟ ରାଜପଥ କେବଳ ହୋର୍ଡିଂ ଲଗାଇ ଚୁପ୍ ବସିଥିବାରୁ ଅନେକ ସମୟରେ ଭାରୀଯାନଗୁଡ଼ିକ ଘାଟିରାସ୍ତାରେ ବୁଲାଣି ବୁଲାଇ ନ ପାରି ଫସି ରହୁଛନ୍ତି। ଫଳରେ ସେହିରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍ ସମେତ ଛୋଟବଡ ଗାଡ଼ି, କାର୍ ଚାଳକ ସମସ୍ୟା ଭୋଗୁଛନ୍ତି।