ପାଣି ପାଇଁ ରୋଗୀ ହନ୍ତସନ୍ତ

କଟକ,୭ା୪(ଶିଳ୍ପା ପ୍ରିୟଦର୍ଶିନୀ)ରାଜ୍ୟ ସମେତ କଟକ ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାଜ୍ୟର ସର୍ବବୃହତ ଏସ୍‌ସିବି ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ ପାଣି ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। ପ୍ରତିଦିନ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି। ଏଠାରେ ଥିବା ଆଶୁ ଚିକିତ୍ସା କେନ୍ଦ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ରଞ୍ଜନରଶ୍ମି ବିଭାଗ ନିକଟ ସମେତ ଅନ୍ୟ ସ୍ଥାନରେ ସେମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା ମେଡିକାଲ ପକ୍ଷରୁ କରାଯାଇଛି। ଅଧିକାଂଶ ସ୍ଥାନରେ ଟ୍ୟାପ୍‌ ଲାଗିଥିଲେ ମଧ୍ୟ ପାଣି ଆସୁନାହିଁ। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏସ୍‌ସିବି ମେଡିକାଲକୁ ଆସିଥିବା ଯାଜପୁର ଅଞ୍ଚଳର ରମେଶ ଭଦ୍ରା କହିଛନ୍ତି, ରଞ୍ଜନରଶ୍ମି ବିଭାଗରେ ଏକ୍ସ-ରେ କରିବା ପାଇଁ ଧାଡ଼ିରେ ଛିଡା ହୋଇରହିଛି। ଏଭଳି ଗରମରେ ତଣ୍ଟି ଶୁଖି ଯିବାରୁ ପାଣି ପାଇଁ ନିକଟରେ ଥିବା ଟ୍ୟାପ୍‌ ପାଖକୁ ଯାଇଥିଲି। ହେଲେ ସେଠାରେ ଥିବା ୪ଟି ଟ୍ୟାପ୍‌ରୁ ଗୋଟିଏରେ ପାଣି ଆସୁଛି। ଫଳରେ ପାଣି ପାଇଁ ଲୋକଙ୍କ ଲମ୍ବାଧାଡି ଲାଗିଛି। ଏ ସମ୍ପର୍କରେ ମେଡିକାଲ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ମେଡିକାଲ ପରିସରରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଗରମରେ ରୋଗୀ କିପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ମେଡିକାଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଜାଗାରେ ପାଣିଟ୍ୟାପ ଖରାପ ରହିଛି, ପିଏଚ୍‌ଡି ବିଭାଗ ସହ ଯୋଗାଯୋଗ କରି ତୁରନ୍ତ ଠିକ୍‌ କରାଯିବ।

Share