ଖଟିଆରେ ବୁହାହୋଇ ରୋଗୀ ନଦୀପାର

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ)ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ସବୁ ଦିନିଆ ରାସ୍ତା ଓ ପୋଲ ନ ଥିବାରୁ ବିଭିନ୍ନ ସମୟରେ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ। ଶନିବାର ଏଭଳି ପୁଣି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଲଝାପୀ ପଞ୍ଚାୟତର ଖମନପଡା ଗ୍ରାମରେ l ଖମନପଡାର ଚନ୍ଦ୍ରିକା ଗଉଡ଼ ନାମ୍ନୀ ଜଣେ ବୃଦ୍ଧା ପଡିଯାଇ ସେ ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଖମନପଡା ଗାଁକୁ ଯିବାପାଇଁ ସବୁଦିନିଆ ରାସ୍ତା ନ ଥିବାବେଳେ ବାଟରେ ପଡୁଥିବା ବାଲିଯୋର ନଦୀରେ ପୋଲ ମଧ୍ୟ ନାହିଁ। ଫଳରେ ଆମ୍ବୁଲାନ୍ସ ଅଧାବାଟ ଦେର୍ଲା ଛକ ନିକଟରେ ଅଟକି ରହିଲା। ପରେ ପରିବାର ଓ ସମ୍ପର୍କୀୟମାନେ ଖଟିଆରେ କାନ୍ଧେଇ ଚନ୍ଦ୍ରିକାଙ୍କୁ ବାଲିଯୋର ନଦୀ ପାରକରି ପ୍ରାୟ ୫ କିଲୋମିଟର ମୁଖ୍ୟ ରାସ୍ତାକୁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରିକାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ଚନ୍ଦ୍ରିକାଙ୍କୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

Share