ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ ଆମୁଣିପୁର ଗାଁରେ। ଗ୍ରାମର ଗୋବିନ୍ଦ ମୁଣ୍ତାଙ୍କ ସ୍ତ୍ରୀ ପ୍ରତିଭା(୨୦) ରୋଗାଗ୍ରସ୍ତ ହୋଇ ଗୁରୁତର ହୋଇଥିଲେ। ତେଣୁ ବୁଧବାର ତାଙ୍କୁ ମେଡିକାଲ ନେବାକୁ ୧୦୮ ଆମ୍ବୁଲାନ୍ସ ଫୋନ୍‌ କରାଯାଇଥିଲା। ମାତ୍ର ଲଘୁଚାପ ଜନିତ ବର୍ଷା ଓ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ପଶିପାରିଲା ନାହିଁ। ଏପରିସ୍ଥଳେ ସ୍ବାସ୍ଥ୍ୟକର୍ମୀ ଓ ପରିବାର ଲୋକେ ପ୍ରତିଭାଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦେଶ ସ୍ବାଧୀନ ହେବାର ୭୬ବର୍ଷ ମଧ୍ୟ ଏଠାରେ ଗମନାଗମନ କ୍ଷେତ୍ରରେ ସୁଦୃଢ଼ ହୋଇପାରିନି। ନାଲିଆବନ୍ଧ ପିଚୁରାସ୍ତାଠାରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। ମାଟି ରାସ୍ତାରେ ମୋରମ ମୁଠେ ପଡୁ ନ ଥିବାରୁ ସାମାନ୍ୟ ବର୍ଷା ହେଲେ କାଦୁଅ ପରିପୂର୍ଣ୍ଣ ହୋଇଯାଉଛି। ବଡ଼ବଡ଼ ଖାଲଖମା ଓ କେନାଲ ନାଳରେ ହୋମ୍‌ ପାଇପ୍‌ ପକାଯାଇ ନ ଥିବାରୁ କାଠ ପକାଇ ଲୋକେ ଯାତାୟାତ କରୁଛନ୍ତି। ଏଣୁ ସାଇକେଲ ବାଇକ ଦୂର ର କଥା ଚଲାପାଦ ବ୍ୟବହାର କରିବା କଷ୍ଟକର ହୋଇପଡୁଛି। ଆମୁଣିପୁର ଗ୍ରାମରେ ବସବାସ କରୁଥିବା ୨୦ ଆଦିବାସୀ ପରିବାରର ପ୍ରାୟ ୧୫୦ ପରିବାର ଯାତାୟାତ କ୍ଷେତ୍ରରେ ଭାରି ହଇରାଣ ହେଉଛନ୍ତି। ନିକଟରେ ଘଞ୍ଚ ଜଙ୍ଗଲ ରହିଛି। ହାତୀ ଭାଲୁ ଆଦି ବନ୍ୟଜନ୍ତୁ ସଞ୍ଜ ନଇଁଲେ ଗାଁମୁହାଁ ହେଉଛନ୍ତି। ଆଲୋକୀକରଣ ସୁବିଧା ନ ଥିବାରୁ ସଞ୍ଜ ହେଲେ ରାସ୍ତାଘାଟ କିଟିମିଟି ଅନ୍ଧାର ହୋଇଯାଉଛି। ଲୋକେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଆମୁଣିପୁର ଗ୍ରାମରେ ବିକାଶ ପହଞ୍ଚି ପାରୁ ନ ଥିବାରୁ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦୁଝର ଜିଲାପାଳ ତୁରନ୍ତ ରାସ୍ତା ମରାମତି ସମେତ ଉନ୍ନତିକରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମୁଣିପୁର ବାସିନ୍ଦା ଦାବି କରିଛନ୍ତି। ନଚେତ ଚଳିତବର୍ଷ ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ କରିବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି।