ପଟ୍ଟାମୁଣ୍ଡାଇ-ଇନ୍ଦୁପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ମରଣଯନ୍ତା

ପଟ୍ଟାମୁଣ୍ଡାଇ,୨୭୯(ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାଠାରୁ ଇନ୍ଦୁପୁର ଯାଇଥିବା ୧୭ କିମି ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ସ୍ଥାନେ ସ୍ଥାନେ ଏହି ରାସ୍ତା ଫାଟି ଭାଙ୍ଗି ଯାଇଛି। ଏହି ରାସ୍ତା ଉପରେ ପଟ୍ଟାମୁଣ୍ଡାଇ ବ୍ଲକର ୧୩ଟି ପଞ୍ଚାୟତ ଓ କେନ୍ଦ୍ରାପଡ଼ା ବ୍ଲକର ୭ଟି ପଞ୍ଚାୟତ ସମେତ ଆଳି ବ୍ଲକର ୭ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ରାସ୍ତାଟି ମରଣଯନ୍ତା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହୋଉଛି। ଏହି ରାସ୍ତାର ମରାମତି ପାଇଁ ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନପୁର, ପେଣ୍ଠପାଳ, ତରଡିପାଳ, ଅଳପୁଆ, ସିଂହଗା, ଅଣ୍ଢରା, ଅମୃତମଣୋହି ଓ କେନ୍ଦ୍ରାପଡ଼ା ବ୍ଲକର ଧୂମାତ, ଚାରିଗଁା, ଘାଘରା, ଇନ୍ଦୁପୁର ପଞ୍ଚାୟତର ଅଧିବାସୀମାନେ ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତାକୁ ସରକାରଙ୍କ ଅନୁମତିକ୍ରମେ ପୂର୍ତ୍ତ ବିଭାଗ ଅଧୀନକୁ ପ୍ରଦାନ କରାଯାଇଛି। ପୂର୍ତ୍ତ ବିଭାଗ ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧୀନରେ ଇ-ଟେଣ୍ଡର କରାଯାଇଛି। ଏହି ରାସ୍ତାକୁ ୫ ମିଟର ଚଉଡା ପିଚୁ ଓ ଢଳେଇ ରାସ୍ତାରେ ପରିଣତ କରାଯିବ ବୋଲି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଆଜାମଉଦିନ ଖାନ୍‌ କହିଛନ୍ତି। ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ନଭେମ୍ବର ପ୍ରଥମ ସପ୍ତାହରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେବେ ଏହି ରାସ୍ତା ଉପରେ ପ୍ରତିଦିନ ଶହଶହ ଗାଡ଼ିମୋଟର, ଟ୍ରିପର, ପୋକଲିନ୍‌, ହାଇଓ୍ବା ଚଳାଚଳ କରୁଥିବା ବେଳେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ବିଶେଷକରି ବାଲି ବେଝୋଇ ଟ୍ରକ୍‌ ଓ ହାଇଓ୍ବା ଚଳାଚଳ ଯୋଗୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି ବୋଲି ଲୋକ ଅଭିଯୋଗ କରୁଛନ୍ତି। ବ୍ରାହ୍ମଣୀ ନଦୀ ପାର୍ଶ୍ୱରେ ଥିବା ଏହି ରାସ୍ତା ଉପରେ ପ୍ରାୟ ୨୮ଟି ପଞ୍ଚାୟତର ୪୦ହଜାର ଲୋକ ନିର୍ଭର କରୁଥିବା ବେଳେ ଏହି ରାସ୍ତାର ମରାମତି ଓ ପୁନଃ ନିର୍ମାଣ କରିବାକୁ ଦାବି ହେଉଛି।

Share