ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାରେ କଂଗ୍ରେସର ଶୋଚନୀୟ ପରାଜୟ ବରଣ କରିଛି। ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଓ୍ବାର୍ଡ ନଂରେ କଂଗ୍ରେସର ଶୋଚନୀୟ ପରାଜୟ ହେବା ସହିତ କଂଗ୍ରେସ ଗଡ଼ ଭାବେ ପରିଚିତ ଅନ୍ୟ ଦୁଇ ଓ୍ବାର୍ଡ ୬ ନଂ ଓ ୧୦ନଂ ରେ ମଧ୍ୟ କଂଗ୍ରେସର ପରାଜୟ ହୋଇଛି। ପୌରାଞ୍ଚଳର ସବୁ ସମୟରେ ପଟ୍ଟନାୟକ ଗଡ଼ ଭାବେ ପରିଚିତ ୬ନଂ ଓ ୭ ନଂ ଓ୍ବାର୍ଡରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଚର୍ଚ୍ଚା ହେଉଛି। ଉଭୟ ଓ୍ବାର୍ଡ ପୌର ନିର୍ବାଚନ ସମୟରେ ପଟ୍ଟନାୟକ ପରିବାରର ଗଡ଼ ବୋଲି ଚର୍ଚ୍ଚାକୁ ଆସିଥାଏ। ଏହି ଦୁଇ ଓ୍ବାର୍ଡରେ ସମ୍ପୃକ୍ତ ପରିବାର ସ୍ବାଧୀନ ପ୍ରାର୍ଥୀମାନଙ୍କୁ ମଇଦାନକୁ ଓହ୍ଲାଇ ବିଜୟୀ କରାଇବାର ଅନେକ ନଜିର ମଧ୍ୟ ରହିଛି। ହେଲେ ଚଳିତ ନିର୍ବାଚନରେ ଉଭୟ ପିସିସି ସଭାପତି ଓ ପୂର୍ବତନ ପିସିସି ସଭାପତିଙ୍କ ବୁଝାମଣାରେ କଂଗ୍ରେସର ପ୍ରାର୍ଥୀ ଦିଆଯାଇଥିବାବେଳେ ଉଭୟ ଓ୍ବାର୍ଡରେ ଶୋଚନୀୟ ପରାଜୟ ଆଲୋଚନାକୁ ସରଗରମ କରିଛି। ପଟ୍ଟନାୟକ ପରିବାର ବିଜେଡିକୁ ଭିତିରି ସମର୍ଥନ କରୁଥିବା ମଧ୍ୟ ଆଲୋଚନା ପରିସରକୁ ଆସିଛି। ଏଭଳି ପରିସ୍ଥିତିରେ କଂଗ୍ରେସର ଶୋଚନୀୟ ପରାଜୟ ଦଳୀୟ ସଂଗଠନ ପ୍ରତି କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଛି।