Categories: ଜାତୀୟ

ଇଭିଏମ୍‌ ଚୋରି କଲେ ବି ଆସାମରେ କଂଗ୍ରେସକୁ ହରାଇ ହେବ ନାହିଁ

ଗୁଆହାଟି,୨।୪- ଆସାମବାସୀ କଂଗ୍ରେସର ବୃହତ୍‌ ବିଜୟ ନିଶ୍ଚିତ କରିସାରିଛନ୍ତି। ଏପରି କି ଇଭିଏମ୍‌ ଚୋରାଇଲେ ମଧ୍ୟ ଫଳାଫଳକୁ ପ୍ରଭାବିତ କରିହେବ ନାହିଁ। ଏଭଳି ଦୃଢ଼ୋକ୍ତି ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜଓ୍ବୋଲା। ଆସାମର କରିମଗଞ୍ଜ ଜିଲାର ପଥରକାଡି ଆସନରୁ ଭାଜପାରୁ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍‌ ମିଳିବା ପରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ନିର୍ବାଚନ ଆୟୋଗ (ଇସି)ଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛି ଆସାମର ବିରୋଧୀ କଂଗ୍ରେସ।

ନିର୍ବାଚନ କମିଶନ ଏହି ଘଟଣାର ତଦନ୍ତ କରିବା ଦରକାର। ଆସାମବାସୀଙ୍କ ସତ ଜାଣିବାର ହକ୍‌ ଅଛି। ଇସି ଅଧିକାରୀଙ୍କୁ ଆସାମରେ କେବଳ ଭାଜପା ପ୍ରାର୍ଥୀଙ୍କ କାର ହିଁ ମିଳିଲା। ପଥରକାଡି ଆସନରୁ ଭାଜପା ପ୍ରାର୍ଥୀ କ୍ରିଷ୍ଣେନ୍ଦୁ ପଲଙ୍କ ବିରୋଧରେ ଏଏଫ୍‌ଆର ଦାୟାର କରାଯିବା ଉଚିତ। ତାଙ୍କୁ ତୁରନ୍ତ ପଚରାଉଚୁରା କରାଯାଉ। ଆସାମବାସୀ କଂଗ୍ରେସର ବୃହତ୍‌ ବିଜୟ ନିଶ୍ଚିତ କରି ସାରିଛନ୍ତି। ଆଉ ଇଭିଏମ୍‌ ଚୋରି କଲେ ବି ଫଳାଫଳକୁ ପ୍ରଭାବିତ କରି ହେବ ନାହିଁ। ଭାଜପାକୁ ଇଭିଏମ୍‌ ଚୋର ଦଳ କୁହାଯିବା ଦରକାର। ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହୋଇଥିବା ୧୩୯ଟି ଭୋଟିଂ କେନ୍ଦ୍ରରେ ଇଭିଏମ୍‌ ଦୁର୍ନୀତି କରିଛି ଭାଜପା ବୋଲି ଗୁଆହାଟିଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜଓ୍ବୋଲା କହିଛନ୍ତି।

Share