ରାୟଗଡ଼ା ଅଫିସ, ୨୩ା୬: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡ଼ା ଗ୍ରାମବାସୀ ୩ମାସ ହେଲା ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ମାସରେ ଆସି ନିଜର ଭତ୍ତା ଟଙ୍କା ମାଗୁଥିଲେ ସୁଦ୍ଧା ତାହା ମିଳୁ ନ ଥିବା ସେମାନେ କହିଛନ୍ତି। ଇନ୍ତାଲିଗୁଡ଼ା ଗାଁର ପ୍ରାୟ ୩୦ରୁ ୪୦ ହିତାଧିକାରୀ ୩ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଦିବ୍ୟାଙ୍ଗ ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି।
ମାର୍ଚ୍ଚରୁ ଭତ୍ତା ମିଳି ନ ଥିବା ହିକକା ସେଲି, କୁଲେସିକା ଦୀପ, କୁଲେସିକା ମାଝିବାଣୀ, ହିକକା ଜିଟୁ, ମାଝିୱାଣୀ ହିକକା, ପ୍ରାସ୍କା ଲାଚିକା, ମିଲାପୁଇ କୁଲେସିକା, ହିକକା କ୍ରିଷ୍ଣା, କୁନା କାନିଳାଇ , କୁନା କାଆପେୟା, କୁନାକା ସାଲାଇ, କୁନାକା ଦାସ, କୁନାକା ଗେଡା,କୁନାକା କାଳିଆ, କୁନାକା କମଳା, ହିକକା ଲକ୍ଷ୍ମଣ, କୁନାକା ରାଧାମା, ହିକକା ନୀଳକଣ୍ଠ, ହିକକା ଆଲେ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ମାଣ୍ଡାଙ୍ଗିଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ନେଇ ମୁଁ ଅବଗତ ଅଛି। କେତେଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲେ ମଧ୍ୟ ସେମାନେ ଖାତା ଅପ୍ଡେଟ୍ କରି ନ ଥିବାରୁ ସେମାନେ ଜାଣିପାରିନାହାନ୍ତି ବୋଲି କହିଛନ୍ତି। ସେହିପରି ଅନ୍ୟ କେତେଜଣ ହିତାଧିକାରୀଙ୍କ ଟଙ୍କା ଦିଆଯାଇନାହିଁ। ଏଥିରେ ନିଜର ଭୁଲ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ବୀକାର କରିବା ସହ ଭତ୍ତା ଟଙ୍କା ପ୍ରଦାନ ପାଇଁ ସେ କିଛିଦିନ ସମୟ ମାଗିଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରାୟ ଚାରିରୁ ପାଞ୍ଚ ଖଣ୍ଡ ଗାଁର ହିତାଧିକାରୀ ଭତ୍ତାରୁ ବଞ୍ଚିତ ଥିବା ଜଣାପଡ଼ିଛି। ଏ ନେଇ ଉପଜିଲପାଳ ଭୀମସେନ ଶବରଙ୍କ ମତାମତ ନେବାରୁ ସେ କହିଛନ୍ତି, ଏ ବିଷୟରେ ମୋ ନିକଟକୁ କୌଣସି ଅଭିଯୋଗ ଆସିନାହିଁ। ବିଭଗୀୟ ଅଧିକାରୀଙ୍କଠାରୁ ସମସ୍ତ ବିଷୟ ବୁଝି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।