ଶିସକୁଡ଼ିବାସୀଙ୍କ ବିକାଶରେ ବାଧକ ଅନ୍ଧାରୀ ନଦୀ

ଦଶମନ୍ତପୁର,୩୦ା୬ (ଅରବିନ୍ଦ ନାୟକ ): ଗ୍ରାମବାସୀଙ୍କ ବିକାଶରେ ପ୍ରତିବନ୍ଧକ ସାଜିଛି ଅନ୍ଧାରୀ ନଦୀ। ଉକ୍ତ ନଦୀ ପଇଁ ବର୍ଷାଦିନ ଆସିଲେ ଜଳବନ୍ଦୀ ଜୀବନ ବିତାଉଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଶିସକୁଡ଼ି ଗ୍ରାମବାସୀ। ଏହି ଗ୍ରାମ ଚାରିପଟେ ରହିଛି ଡଙ୍ଗର ଓ ପାହାଡ଼ପର୍ବତ। ମଝିରେ ରହିଥିବା ଶିସକୁଡ଼ି ଗ୍ରାମରେ ୪୫ ଆଦିବାସୀ ଓ ହରିଜନ ସମ୍ପ୍ରଦାୟମ୍ପର ଲୋକେ ବସବାସ କରିଥାନ୍ତି। ଗ୍ରାମବାସଙ୍କ ମୁଖ୍ୟ ଜୀବିକା ହେଉଛି ପୋଡୁଚାଷ। ଅନ୍ଧାରୀ ନଦୀ ସେମାନଙ୍କ ଜୀବନ ଜୀବିକା ବିକାଶରେ ମଧ୍ୟ ବାଧକ ସାଜୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିପାଇଁ ଆମ ଗ୍ରାମରେ କୌଣସି ଉନ୍ନୟନମୂଳକ କାମ ହୋଇପାରୁନାହିଁ ବୋଲି କହିଛନ୍ତି ସେମାନେ। ବିଶେଷକରି ନଦୀ ପାରହୋଇ ବିଦ୍ୟାଳୟ ଯାଉଥିବା ଗ୍ରାମର ୨୭ ଜଣ ଛାତ୍ରୀଛାତ୍ରମାନେ ହନ୍ତସନ୍ତ ହୁଅନ୍ତି। ଆମ ମାଆବାପା ଆମକୁ କାନ୍ଧରେ ବସାଇ ନଦୀପାର କରିନେଇ ବିଦ୍ୟାଳୟରେ ଛାଡନ୍ତି ବୋଲି କୁହନ୍ତି ପିଲାମାନେ। ତେବେ ନଦୀରେ ପାଣି ଅଧିକ ରହୁଥିବାରୁ ଆମେ ମାସକୁ ମାତ୍ର ୩/୪ ଥର ପିଲାଙ୍କୁ ବିଦ୍ୟାଳୟ ଛାଡୁ ବୋଲି କୁହନ୍ତି ଅଭିଭାବକମାନେ। ୨ବର୍ଷ ତଳେ ହୋଇଥିବା ବନ୍ୟାରେ ଅନେକ ଗୃହପାଳିତ ପ୍ରାଣୀ ଭାସିଯାଇଥିଲେ। ଗ୍ରାମର ରାମ ପୂଜାରୀ, ଦାଶ ସାଉଁନ୍ତା ଏବଂ ପୁଲୁ ସାଉନ୍ତା ମଧ୍ୟ ନଦୀ ପାର ବେଳେ ଭାସିଯାଇ ମୃତ୍ୟୁବରଣ କରିଥିଲେ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମରେ କେହି ଗୁରୁତର ହୋଇପଡିଲେ ଅବା କୌଣସି ଗର୍ଭବତୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଆମେ ଗ୍ରାମରୁ ଆର୍‌ଡି ରାସ୍ତା ଛକ ପର୍ଯ୍ୟନ୍ତ ଭାରରେ ବୋହି ନେଇ ସେଠାରୁ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥାଉ ବୋଲି କହନ୍ତି ଗ୍ରାମର ବଙ୍ଗାରି ସାଉଁନ୍ତା, ଇନ୍ଦ୍ର ପାଇକ, ଧବଳେଶ୍ୱର ପାଇକ, ଅର୍ଜୁନ ନାୟକ, ଶୋଭା ପାଇକ, ଡମ ପୂଜାରୀ, କୃଷ ପାଇକ ଓ ମଦନ ପାଇକ। ନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ଏଯାଏ ପ୍ରଶାସନ କିମ୍ବା ଜନ ପ୍ରତିନିଧିମାନେ ଗୁରୁତ୍ୱ ଦେଇନାହନ୍ତି। ପୋଲ ନିର୍ମାଣ ନ ହେଲେ ଆଗାମୀ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ସେମାନେ କହିଛନ୍ତି।