ପ୍ରକଳ୍ପ ପ୍ରତିଶ୍ରୁତିରେ ଜିଲାବାସୀ ଅଣନିଃଶ୍ୱାସୀ

କେନ୍ଦ୍ରାପଡ଼ା ଅଫିସ, ୨୭ା୫: ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ଗତ ଦଶନ୍ଧି ଧରି ଏହାର ସୁଯୋଗ ନେଉଛନ୍ତି। ନିର୍ବାଚନ ସମୟରେ ଶିଳ୍ପ, ବନ୍ଦର ନିର୍ମାଣ ପ୍ରତିଶ୍ରୁତି ଅଜାଡ଼ି ଦେଉଛନ୍ତି। ଶିଳ୍ପ ଦ୍ୱାରା ପ୍ରଗତି ହେବ ବୋଲି ସବୁଠି ପ୍ରଚାର ପ୍ରସାର ହେଉଛି। ବରୁଣେଇ ବନ୍ଦର ଓ ଅଳାଇଲୋଠାରେ ପାୱାର ଥର୍ମାଲ ପ୍ଲାଣ୍ଟ ପ୍ରତିଷ୍ଠା ନିର୍ବାଚନ ପ୍ରତିଶ୍ରୁତିକୁ ସ୍ଥାନୀୟ ଲୋକେ ଭୁଲିଛନ୍ତି। ଏବେ ପେଲେଟ କାରଖାନା, ସିମେଣ୍ଟ କାରଖାନା, ପେଟ୍ରୋ କେମିକାଲ ପ୍ଲାଣ୍ଟ, ଉପକୂଳ ରାଜପଥ, ଜାତୀୟ ଜଳପଥ ୫, ଆଖଡ଼ାଶାଳୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଆଦି ପ୍ରତିଷ୍ଠାକୁ ଜିଲାବାସୀ ଅନାଇ ରହିଛନ୍ତି। ଜମି ଅଧିଗ୍ରହଣ ଓ ଶିଳ୍ପ ପ୍ରତିଷ୍ଠା ପରେ ଜୀବନଜୀବିକା ଓ ଜାତୀୟ ଉଦ୍ୟାନର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ କୌଣସି ସୂଚନା ସର୍ବସାଧାରଣରେ ପ୍ରକାଶିତ ହେଉନାହିଁ। ଏହା ସ୍ଥାନୀୟ ଅଞ୍ଚଳରେ ଏକ ଆଶଙ୍କାରେ ପରିଣତ ହୋଇଛି। ସେହିପରି ପେଟ୍ରୋ କେମିକାଲ ପ୍ଲାଣ୍ଟ ପାଇଁ ଜନଶୁଣାଣି ଶେଷ ହୋଇଛି। ଏହାକୁ ଦେଖି ପ୍ରକଳ୍ପ ପ୍ରତିଶ୍ରୁତିରେ ଜିଲାବାସୀ ଅଣନିଃଶ୍ୱାସୀ ହୋଇଛନ୍ତି ବୋଲି ଆଲୋଚନା ଚାଲିଛି।