ଅବଧି ସରିଲାଣି, କାର୍ଯ୍ୟ ସରୁନି

ନାଉଗାଁ,୭ା୭(ସୁଧା ବେହୁରା): ନାଉଗାଁ ବ୍ଲ୍କକ ଗଳଦାରୀ ପଞ୍ଚାୟତ ଅନ୍ତର୍ଗତ ଏରେଡା ଗ୍ରାମରେ ପାନୀୟ ଜଳ ପାଇଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମରେ କୌଣସି ପାନୀୟ ଜଳ ପ୍ରକଳ୍ପ ନ ଥିବାରୁ ଲୋକେ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଅପରପକ୍ଷେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପର ଅବଧି ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ସରିପାରୁ ନାହିଁ। ଏନେଇ ଗ୍ରାମରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ନଦୀ ପାର୍ଶ୍ୱରେ ଏହି ଗ୍ରାମ ରହିଛି। ଏଠାକାର ଅଧିକାଂଶ ନଳକୂପରୂ ଲୁଣି ପାଣି ବାହାରେ। ପାନୀୟ ଜଳ ସମସ୍ୟାରେ ସୁଧାର ଆଣିବା ପାଇଁ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଳ ଜୀବନ ମିଶନ ଯୋଜନାରେ ଉଚ୍ଚ ପାଣି ଟାଙ୍କି ଓ ପାନୀୟ ଜଳ ପ୍ରକଳ୍ପ ସ୍ଥିର କରାଯାଇଥିଲା।
ଜଗତ୍‌ସିଂହପୁର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦ୍ୱାରା ୧୪ ଜୁନ ୨୦୨୧ରେ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଇତିମଧ୍ୟରେ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ପାଣି ଯୋଗାଇବା ତ ଦୂରର କଥା, ଏପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ସରୁନାହିଁ। ପ୍ରକଳ୍ପ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହେବା ନିମନ୍ତେ ଜଣେ ସାମାଜିକ କର୍ମୀ ୨୯ ଡିସେମ୍ବର ୨୦୨୨ରେ ସୂଚନାଧିକାର ଆଇନରେ ଆବେଦନ କରିଥିଲେ। ଉକ୍ତ ଆବେଦନ ଅନୁସାରେ ଅଧୀକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ପରିମଳ ବିଭାଗ, ଜଗତ୍‌ସିଂହପୁର ଡିଭିଜନ ତରଫରୁ ଚିଠି (ନଂ. ୨୦୨/୨୧)ରେ ଜାନୁୟାରୀ ୨୦୨୩ରେ ତଥ୍ୟ ପ୍ରଦାନ କରାଯାଇଥିଲା। ଏହି ତଥ୍ୟ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଶତକଡା ୯୦ ଭାଗ ସରିଥିବା ଦର୍ଶାଯାଇଛି। ଏହି କାର୍ଯ୍ୟ ୨୭ ମାର୍ଚ୍ଚ ୨୦୨୧ ରୁ ୨୬ ଡିସେମ୍ବର ୨୦୨୧ ମଧ୍ୟରେ ଶେଷ ହେବାକୁ ଚୁକ୍ତି ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ କରାଯାଇ ନଥିବା ଦେଖିବାକୁ ମିଳିଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଉକ୍ତ ପ୍ରକଳ୍ପ ତଦାରଖ ଦାୟିତ୍ୱରେ ଥିବା ବେଳେ ଠିକ ସମୟରେ ପ୍ରକଳ୍ପ ସରୁ ନ ଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ସ୍ଥାନୀୟ ସରପଞ୍ଚ ଦିଲୀପ କୁମାର ନାୟକ, ସମିତି ସଭ୍ୟ ପ୍ରଭାତ ସ୍ବାଇଁ, ଡମ୍ବରୁଧର ବସ୍ତିଆ, ଅମରଜିତ ସ୍ବାଇଁ, ସଂଗ୍ରାମ ସ୍ବାଇଁ, ମନୋଜ ମହାନ୍ତି, ନୀହାର ସ୍ବାଇଁ, ଆର୍ତ୍ତତ୍ରାଣ ନାୟକ, ଅଶୋକ ବେହେରା ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ବିଷୟରେ ଗ୍ରାମ୍ୟ ଜଳ ପରିମଳ ବିଭାଗ ଯନ୍ତ୍ରୀ ରଶ୍ମିରଞ୍ଜନ ଦାସଙ୍କୁ ପଚାରିବାରେ, ଠିକାଦାରଙ୍କୁ କାର୍ଯ୍ୟ ଶେଷ କରିବା ପାଇଁ ବାରମ୍ବାର ନୋଟିସ ପ୍ରଦାନ କରାଯାଇଛି ବୋଲି କହିଛନ୍ତି।