Categories: ଜାତୀୟ

ଜୁଲାଇରେ ଆସିବ ଫାଇଜର

ନୂଆଦିଲ୍ଲୀ, ୨୮।୫:ଦେଶରେ କୋଭିଡ୍‌ ଟିକା ଅଭାବ ପୂରଣ ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନୀକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଟିକା ନୀତିରେ ପରବର୍ତ୍ତନ କରାଯିବ ବୋଲି ସରକାର ଦୋହରାଇଛନ୍ତି। ଆମେରିକାର ଫାଇଜର କମ୍ପାନୀ ଭାରତକୁ ୫ କୋଟି ଡୋଜ୍‌ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି କହିବା ସହ ଏଥିପାଇଁ ସରକାର ଟିକା ନୀତିରେ କୋହଳ କରିବାକୁ ପରାମର୍ଶ ଦେଇଥିଲା। ଏହା ପରେ ସରକାର ପ୍ରତିଷ୍ଠିତ ବିଦେଶୀ ଟିକାର ସ୍ଥାନୀୟ ପରୀକ୍ଷାକୁ ଉଠାଇ ଦେଇଛନ୍ତି। ଆଗାମୀ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଫାଇଜର ୫ କୋଟି ଟିକା ଯୋଗାଇଦେବାକୁ କହିଛି। ଏହା ବ୍ୟତୀତ ମଡର୍ନା ଓ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ କମ୍ପାନୀଠାରୁ ଟିକା ଆମଦାନୀ ଲାଗି ମଧ୍ୟ ଆଲୋଚନା ଚାଲିଛି। ସମସ୍ତ ଅନ୍ତର୍ଜାତୀୟ ଟିକା ଉତ୍ପାଦନକାରୀଙ୍କୁ ଭାରତ ଆସି ଟିକା ତିଆରି କରିବା ଲାଗି ସରକାରଙ୍କ ପକ୍ଷରୁ ପୁଣିଥରେ ଅନୁରୋଧ କରାଯାଇଛି। ବିଦେଶୀ ଟିକା ଅନୁମୋଦନକୁ ତ୍ୱରାନ୍ବିତ କରିବା, ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ପୂର୍ବରୁ ସ୍ଥାନୀୟ ସୁରକ୍ଷା ପରୀକ୍ଷା ହଟାଇଦେବା ଲାଗି ଗତମାସରେ ସରକାର ଘୋଷଣା କରିଥିଲେ। ଭାରତରେ ଦେଖାଦେଇଥିବା କୋଭିଡ୍‌ ଷ୍ଟ୍ରେନ୍‌ ପାଇଁ ଫାଇଜର ଟିକା ସର୍ବାଧିକ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଟିକାକୁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ମାସେ ପର୍ଯ୍ୟନ୍ତ ଗଚ୍ଛିତ ରଖିହେବ ଏବଂ ୧୨ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦିଆଯାଇପାରିବ ବୋଲି କମ୍ପାନୀ କହିଛି।

Share