ଲୋକଙ୍କ ଦାବି ପରେ ଫେରିଲେ ଫାର୍ମାସିଷ୍ଟ

ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଫାର୍ମାସିଷ୍ଟଙ୍କୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପୁଣି ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରାଇ ଅଣାଯାଇଛି।

ପ୍ରକାଶ ଯେ, ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁଙ୍କ ନାମରେ କେହି ମିଥ୍ୟା ଅଭିଯୋଗ କରିଥିବା ନେଇ ତାଙ୍କୁ ରାଇକିଆ ବ୍ଲକ ସୁଗଡ଼ବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଗଷ୍ଟ ୪ରେ ଡେପୁଟେଶନରେ ପଠାଇ ଦିଆଯାଇଥିଲା। ସୁଗଡ଼ବାଡ଼ିରେ ଥିବା ଫାର୍ମାସିଷ୍ଟ ଅକ୍ଷୟ ମଲିକଙ୍କୁ ସିମନବାଡ଼ି ଡେପୁଟେଶନ କରାଯାଇଥିଲା। ହେଲେ ସେ ମାତ୍ର ଦୁଇଦିନ କାର୍ଯ୍ୟ କରି ଅସୁସ୍ଥତା କାରଣରୁ ଛୁଟିରେ ଚାଲିଯାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ବଣ୍ଟନ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟତିକ୍ରମ ଦେଖାଯାଇଥିଲା। ସେହିପରି ସୁଶାନ୍ତ ସାହୁ ଦୀର୍ଘଦିନ ହେଲା ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତମ ସେବା ଦେଇଥିବାରୁ ତାଙ୍କୁ ତୁରନ୍ତ ସିମନବାଡ଼ି ଫେରାଇବାକୁ ଦାବି ହୋଇଥିଲା। ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ କନ୍ଧମାଳ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ମନୋଜ ଉପାଧ୍ୟାୟ ଇନ୍‌ଚାର୍ଜ ଫାର୍ମାସିଷ୍ଟଙ୍କ ଡେପୁଟେଶନ ଅର୍ଡରକୁ ଚଳିତ ପହିଲାରେ ବାତିଲ କରି ସିମନବାଡ଼ି ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଗ୍ରାମର ଶ୍ୟାମାଶନ ଦିଗାଲ, ଧନେଶ୍ୱର ବାଡ଼ତ୍ୟା, ସରପଞ୍ଚ ଅମିତା ମଲିକ, ସମିତିସଭ୍ୟ ସାଧୁ ନାୟକ,କିରିକୁଟି ସରପଞ୍ଚ ଅଶୋକ ପ୍ରଧାନ, କେ. ମନବୋଧ ନାୟକ, କେଦାରନାଥ ସାହୁ, ପରମେ ପ୍ରଧାନ ପ୍ରମୁଖ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି।

Share