ପୋଲିସ ଟୋପି ପିନ୍ଧି ଫଟୋ ଭାଇରାଲ: ଥାନାକୁ ଟଣାହେଲେ ଯନ୍ତ୍ରୀ

ମାଲକାନଗିରି,୩।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି ପିନ୍ଧି ହଟହଟା ହୋଇଛନ୍ତି। ଟୋପିର ଅପବ୍ୟବହାର ଏବଂ ଅବମାନନା କରିଥିବାରୁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଥିଲା। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଭିଡ୍‌-୧୯ ଯୋଗୁ ବିଭିନ୍ନ ଛକ ଜାଗାରେ ମାସ୍କ ଚେକିଂ କରାଯାଇ ସ୍କ୍ବାଡ୍‌ ଜରିମାନା ଆଦାୟ କରୁଥିଲା। ସେହି ସ୍କ୍ବାଡ୍‌ରେ ଜଣେ ପୋଲିସ ଗାଡ଼ିରେ ଟୋପିଟି ରଖି ଯାଞ୍ଚ କରୁଥିବା ବେଳେ ଯନ୍ତ୍ରୀ ବେହେରା ଉକ୍ତ ଟୋପିକୁ ନିଜ ମୁଣ୍ଡରେ ପିନ୍ଧି ସେଲ୍‌ଫି ଉଠାଇ ଏହି ଫଟୋକୁ ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ରେ ଭାଇରାଲ କରିଥିଲେ। ପରେ ସେ ଏହାକୁ ଡିଲିଟ କରିଦେଇଥିଲେ। ଏହା ପୋଲିସ ଦୃଷ୍ଟିରୁ ଖସିପାରି ନ ଥିଲା। ଏହି ଘଟଣା ପାଇଁ ତାଙ୍କୁ ଓର୍କେଲ ଥାନା ପୋଲିସ ଥାନାକୁ ଡକାଇ ତଦନ୍ତ କରିଥିଲା। ବେହେରା ତାଙ୍କ ଭୁଲ୍‌ ସ୍ବୀକାର କରିବା ପରେ ତାଙ୍କୁ ତାଗିଦ କରି ଛଡ଼ାଯାଇଥିବା ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି।