ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ବେଳେ ଓଲଟିଲା ପିକ୍‌ଅପ୍‌, ୩୫ ଆହତ

ଉମରକୋଟ,୧୮ା୨(ସନ୍ତୋଷ ଶତପଥୀ): ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉମରକୋଟ, ଝରିଗାଁ ଓ ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନରେ ଥିବା ଏକମ୍ବା ଗ୍ରାମରୁ ପ୍ରାୟ ୩୦ରୁ ୩୫ଜଣ ମହିଳା ଓ ପୁରୁଷ ଏକ ପିକ୍‌ଅପ୍‌ ଗାଡି ନଂ ଓଡି ୨୪ ଏଚ୍‌ ୮୮୪୦ରେ ନିକଟସ୍ଥ ମୋହଣ୍ଡି ଗ୍ରାମକୁ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ରବିବାର ଅପରାହ୍ନରେ ମୋହଣ୍ଡ ନିକଟରେ ଉକ୍ତ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରି ସମସ୍ତ ଆହତଙ୍କୁ ଉମରକୋଟ ଓ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଆହତ ହୋଇଥିବା ଲୋକଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଡ୍ରାଇଭରଙ୍କ ବେପରୁଆ ମନୋଭାବ ଯୋଗୁ ଏହି ଘଟଣାଟି ଘଟିଛି ବୋଲି ଆହତମାନେ ଅଭିଯୋଗ ଆଣିଛନ୍ତି।