ଖୋର୍ଦ୍ଧା ଅଫିସ,୬ା୮: ଗୋଟିଏ ଜାତି ତା’ର ବୀରତ୍ୱ, କଳା, ସଂସ୍କୃତି, ଭାସ୍କର୍ଯ୍ୟକୁ ନେଇ ପରିଚୟ ବହନ କରେ। ସଂସ୍କୃତି ଓ ପରମ୍ପରା ବିଲୁପ୍ତ ହେଲେ ସେହି ଜାତିର ସମୃଦ୍ଧି ନଷ୍ଟ ହେବା ସହ ଅଧଃପତନ ଘଟିଥାଏ ବୋଲି କୁହାଯାଏ। ଯେଉଁ ପାଇକ ପୁଅ ଦିନେ ଇଂରେଜଙ୍କୁ ଧୂଳି ଚଟାଇଥିଲେ ସେହି ବୀର ସନ୍ତାନଙ୍କ କୀର୍ତ୍ତି ଓ କାହାଣୀ ଆଜି କେବଳ ଇତିହାସ ପୃଷ୍ଠାରେ ରହିଯାଇଛି। ଦେଶ ସ୍ବାଧୀନ ହେବା ପରେ ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଓ ସ୍ମୃତିକୁ ସାଉଁଟିବା ସକାଶେ ରାଜ୍ୟ ସରକାର ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ରକ୍ଷଣାବେକ୍ଷଣ ଅଭାବରୁ ଏହି କୋଠା ଏବେ ଏକପ୍ରକାର ଭୂତକୋଠି ପାଲଟିଛି। କୋଠା ଚାରିପଟେ ଅନାବନା ଗଛଲତା ମାଡ଼ିଗଲାଣି। ଇଂରେଜଙ୍କ ସହିତ ଲଢେଇ କରି ପ୍ରାଣବଳି ଦେଇଥିବା ପାଇକଙ୍କ ବୀରତ୍ୱର ଗାଥା, ସେମାନଙ୍କ ତୈଳଚିତ୍ର, ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ଖଣ୍ଡା, ବର୍ଚ୍ଛା, ଢାଲ ସମେତ ପ୍ରାଚୀନ କୀର୍ତ୍ତିରାଜି ପ୍ରଭୃତି ଏହି ସଂଗ୍ରହାଳୟରେ ସ୍ଥାନ ପାଇବ ବୋଲି ସ୍ଥିର ହୋଇଥିଲା। ଆଗାମୀ ପୀଢ଼ିିଙ୍କୁ ପାଇକ ବୀରଙ୍କ ବୀରତ୍ୱ ସମ୍ପର୍କରେ ଅବଗତ କରାଇବା ତଥା ଏହି ଜାତିର ଗୌରବକୁ ସମାଜରେ ପ୍ରତିଷ୍ଠିତ କରାଇବା ପାଇକ ସଂଗ୍ରାହଳୟର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ସେହି ମହତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସାକାର ହୋଇପାରିନାହିଁ।
ଖୋର୍ଦ୍ଧ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ସଂଗ୍ରହାଳୟ କୋଠା ରହିଛି। ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଶହୀଦ ସ୍ତମ୍ଭ ଉଦ୍ଘାଟନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଥିଲା। ତେବେ କୌଣସି କାରଣରୁ ଏହି ସଂଗ୍ରହାଳୟ ଏପର୍ଯ୍ୟନ୍ତ ଉଦ୍ଘାଟନ ହୋଇପାରିନାହିଁ। କୋଠାରେ ତାଲା ଝୁଲୁଛି। ରକ୍ଷଣାବେକ୍ଷଣ ଅଭାବରୁ ଏହାର ଛାତ, କାନ୍ଥ ଫାଟଥିବାବେଳେ ଝରକା କାଚ ଭାଙ୍ଗିଗଲାଣି। ଲୁହାଫାଟକରେ କଳଙ୍କି ଧରିଲାଣି। କୋଠା ଓ ଶହୀଦ ସ୍ତମ୍ଭ ଚାରିପଟେ ଅନାବନା ଗଛଲତା ମାଡ଼ିଗଲାଣି। ଏଠାରେ ସରୀସୃପ ରହୁଥିବାବେଳେ ଫନୀ ବାତ୍ୟାରେ କୋଠା ନଷ୍ଟ ହୋଇଯାଇଛି। ଦେଶ ମାତୃକା ଲାଗି ପ୍ରାଣବଳି ଦେଇଥିବା ବୀର ପୁରୁଷଙ୍କ ନାଫଳକ ଶହୀଦ ସ୍ତମ୍ଭରେ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତାହା ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।
ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କହିଛନ୍ତି, ଭାରତୀୟ ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ପାଇକ ବୀରଙ୍କ ଅବଦାନ ଅତୁଳନୀୟ। ପାଇକ ବିଦ୍ରୋହକୁ ସ୍ବାଧିନୋତ୍ତର ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ମାନ୍ୟତା ମିଳିଛି। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର, ମାଧବ ଚନ୍ଦ୍ର ରାଉତରାୟ, କୃତ୍ତିିବାସ ପାଟଶାଣୀ ପ୍ରମୁଖଙ୍କ ଅବଦାନ ଚିର ସ୍ମରଣୀୟ। ଯେଉଁ ପାଇକଙ୍କ ବୀରତ୍ୱ ଆଗରେ ବିଟ୍ରିଶ ସରକାର ମଥା ନୁଆଁଇଥିଲେ, ସେହି ଲାଲମାଟିର ଗଡ଼ ଖୋର୍ଦ୍ଧା ଆଜି ଅବହେଳିତ। ସେହିପରି ନ୍ୟୁ ଥିଙ୍କିଙ୍ଗ ଫୋରମ ସଭାପତି ନରେନ୍ଦ୍ର ପୃଷ୍ଟି କହିଛନ୍ତି, ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାହାଡ଼ ପାଦଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ସ୍ମାରକୀ ଲାଗି ଆବଶ୍ୟକ ଜମି ଜବରଦଖଲରେ ରହିଛି। ବାରମ୍ବାର ଦାବି ସତ୍ତ୍ୱେ ଜବରଦଖଲ ଉଚ୍ଛେଦ କରାଯାଇନାହିଁ। ଏପର୍ଯ୍ୟନ୍ତ ପ୍ରସ୍ତାବିତ ସ୍ଥାନରେ ଇଟା ଖଣ୍ଡେ ପଡ଼ିନାହିଁ। ସେହିପରି ବରୁଣେଇ ପାଦଦେଶରେ ରହିଥିବା ଆଉ ଏକ ଶହୀଦ ସ୍ତମ୍ଭ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାକୁ ପୁନରୁଦ୍ଧାର କରାଯାଉନାହିଁ। ଅନ୍ୟପକ୍ଷରେ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ କହିଛନ୍ତି, ଏହି ସଂଗ୍ରହାଳୟର ପୁନରୁଦ୍ଧାର ଲାଗି ପଦକ୍ଷେପ ନିଆଯିବ।