Categories: ଜାତୀୟ

ଗେହଲଟଙ୍କୁ ୧୫ ଦିନିଆ ମହଲତ ଦେଲେ ପାଇଲଟ୍‌

ଜୟପୁର, ୧୬ା୫ :ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ସୋମବାର ତାଙ୍କର ୫ ଦିନିଆ ଜନସଂଘର୍ଷ ଯାତ୍ରା ଉଦ୍‌ଯାପନ କରିଛନ୍ତି। ବସୁନ୍ଧରା ରାଜେଙ୍କ ସରକାର ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ୧୫ ଦିନିଆ ମହଲତ ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ ଯଦି ଗେହଲଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ସେ ନିଜ ଦଳର ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରିବେ ବୋଲି ପାଇଲଟ ଚେତାବନୀ ଦେଇଛନ୍ତି। ଗେହଲଟ ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କ ଦାବି ମାନିନେବା ଲାଗି ଅସନ୍ତୁଷ୍ଟ ନେତା ପାଇଲଟ ନୋଟିସ ଦେଇଛନ୍ତି। ପଦଯାତ୍ରା ଶେଷ ଦିନରେ ପାଇଲଟଙ୍କ ସହ ୧୫ କଂଗ୍ରେସ ବିଧାୟକ ଉପସ୍ଥିତ ଥିଲେ।
କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ସିଦ୍ଦାରାମାୟା ଏବଂ ଡି.କେ. ଶିବକୁମାରଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ଏନେଇ ଦଳର କେନ୍ଦ୍ରୀୟ ନେତୃତ୍ୱ ଚିନ୍ତାରେ ପଡ଼ିଥିବାବେଳେ ରାଜସ୍ଥାନ କଂଗ୍ରେସରେ ଗେହଲଟ ଓ ପାଇଲଟ କ୍ଷମତା ଲଢ଼େଇ ଜୋର୍‌ ଧରିଛି। ଜନସଂଘର୍ଷ ଯାତ୍ରା ନାମରେ ପାଇଲଟ ଗେହଲଟଙ୍କ ଉପରେ ଚାପ ପକାଉଛନ୍ତି। ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ସହ ରାଜସ୍ଥାନ ପବ୍ଲିକ୍‌ ସର୍ଭିସ କମିଶନ (ଆର୍‌ପିଏସ୍‌ସି)କୁ ରଦ୍ଦ କରିବା ଏବଂ ପେପର ଲିକ୍‌ କାରଣରୁ ସରକାରୀ ନିଯୁକ୍ତି ପରୀକ୍ଷା ବାତିଲ ହେବାରୁ ଯେଉଁମାନେ କ୍ଷତିଗ୍ରସ୍ତ ହେଲେ ସେମାନଙ୍କୁ କ୍ଷତିପୂରଣ ଦେବା ଲାଗି ପାଇଲଟ ଦାବି କରିଛନ୍ତି। ଗତ ମାସରେ ମଧ୍ୟ ପାଇଲଟ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗୋଟିଏ ଦିନ ଅନଶନରେ ବସିଥିଲେ।

Share