ପାଇପ ଫାଟି ରାସ୍ତାରେ ଭାସୁଛି ପାଣି

ଲାଠୋର, ୨୦ା୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଏକ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଗ୍ରାମର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରକଳ୍ପ ଉପରେ ନିର୍ଭର କରନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ପାଇପ ସବୁ ଫାଟି ପାଣି ମୁଖ୍ୟ ରାସ୍ତାରେ ଭାସୁଛି। ଏଥିଯୋଗୁ ପାଇପ ଭିତରକୁ ଦୂଷିତ ପାଣି ପଶୁଛି। ସେହି ପାଣିକୁ ଲୋକ ପାନୀୟ ଜଳଭାବେ ବ୍ୟବହାର କରୁଛନ୍ତି। ଦୂଷିତ ପାଣି ବ୍ୟବହାର ଯୋଗୁ ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଅପରପକ୍ଷେ ରାସ୍ତାରେ ପାଣି ଜମି ରହୁଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ମାସ ମାସ ଧରି ପାଇପ ଫାଟି ରାସ୍ତାରେ ପାଣି ବୋହୁଥିଲେ ହେଁ ଏଥିପ୍ରତି କାହାର ନଜର ପଡୁନାହିଁ। ପଞ୍ଚାୟତ ହାତରୁ ଦାୟିତ୍ୱ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନେବା ଦିନଠାରୁ ନାନା ସମସ୍ୟା ଉପୁଜୁ ଥିବା ଲୋକେ ଅଭିଯୋଗ କରିଛନ୍ତି। ଯେଉଁ କର୍ମଚାରୀମାନେ ଏହି ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରାଯାଉ ନାହିଁ। ଏନେଇ ଖପ୍ରାଖୋଲ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସରିତା କୁଜୁରଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ ଦେଖିବା ପରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଇତିମଧ୍ୟରେ ୫ଦିନ ବିତି ଯାଇଥିଲେ ହେଁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।