୬ମାସ ହେଲା ପାଇପ୍‌ ଫାଟି ଭାସୁଛି ପାଣି, ଅଭିଯୋଗ କଲେ ସୁଦ୍ଧା ପଦକ୍ଷେପ ଶୂନ

ରାଉରକେଲା,୨୮ା୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନ ଗାନ୍ଧୀଛକ ରାସ୍ତାରେ ଦୀର୍ଘ ୬ମାସ ହେଲା ପାଇପ୍‌ ଫାଟି ପାନୀୟ ଜଳ ନଷ୍ଟ ହେଉଛି। ଏ ନେଇ ଛକର ବ୍ୟବସାୟୀମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ମରାମତି ଦିଗରେ ନା ଆରଏମସି ପଦକ୍ଷେପ ନେଉଛି ନା ପିଏଚ୍‌ଡି ବିଭାଗ ଦୃଷ୍ଟି ଦେଉଛି। ଗୋଟିଏ ପଟେ ପାନୀୟ ଜଳର ଅପଚୟ ରୋକିବା ନେଇ ଆରଏମସି ଓ ପିଏଚ୍‌ଡି ବିଭାଗ ତରଫରୁ ବ୍ୟାପକ ସଚେତନତା କରାଯାଉଥିବା ବେଳେ ୬ମାସ ହେଲା ରାସ୍ତାରେ ପାନୀୟ ଜଳ ଅପଚୟ ହେଉଥିଲେ ସୁଦ୍ଧା କାହାରି ଦୃଷ୍ଟି ପଡୁ ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତ ୬ ମାସ ତଳେ ପାନପୋଷ ଛକରେ ଆପରାଧିକ ଗତିବିଧି ଉପରେ ନଜର ରଖିବା ପାଇଁ ସ୍ମାର୍ଟସିଟି ପକ୍ଷରୁ ସିସି କ୍ୟାମେରା ଲଗାଯାଇଥିଲା। ସିସି କ୍ୟାମେରା ସ୍ଥାପନ ବେଳେ ଛକରେ ଖୁମ୍ବ ପୋତାଗଲା। ଯେଉଁଠି ଖୁମ୍ବ ପୋତାଗଲା ସେଠାରେ ପାନପୋଷ ବସ୍ତିକୁ ଯାଇଥିବା ପିଏଚ୍‌ଡି ପାଇପ ରହିଥିଲା। ଏଣୁ ଉକ୍ତ ସ୍ଥାନରେ ଖୁମ୍ବ ନ ପୋତି ଅନ୍ୟତ୍ର ପୋତିବାକୁ ଛକ ବ୍ୟବସାୟୀମାନେ କହିଥିଲେ। ମାତ୍ର ସେମାନଙ୍କ କଥାକୁ ଏଡାଇ ଦେଇ ଉକ୍ତ ସ୍ଥାନରେ ଖୁମ୍ବ ପୋତାଗଲା। ଏଥିଯୋଗୁ ତଳେ ଯାଇଥିବା ପାଣି ପାଇପ୍‌ ଫାଟିଯିବାରୁ ବର୍ତ୍ତମାନ ଉକ୍ତ ଫଟା ପାଇପ୍‌ରୁ ପାନୀୟ ଜଳ ସିଧାସଳଖ ରାସ୍ତାରେ ଅପଚୟ ହୋଇ ଭାସୁଛି। ରାସ୍ତା କାଦୁଅମୟ ହେଉଥିବା ବେଳେ ଯାନବାହନ ଯାତାୟାତ ସମୟରେ ପାଣି ଛିଟିକା ମାରି ଛକରେ ଥିବା ଦୋକାନକୁ ପଶୁଛି। ତୁରନ୍ତ ଫାଟି ଯାଇଥିବା ପାଣି ପାଇପ୍‌ ଭାଲ୍‌ବ ମରାମତି କରିବାକୁ ଛକ ଦୋକାନୀ ସନ୍ତୋଷ ସାହୁ, ଅନୀଲ ସାହୁ ଓ ଗୁଡ୍ଡୁ ଝା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ରାଉରକେଲା ପିଏଚ୍‌ଡି ଏସ୍‌ଡିଓ ସୁବାଷ ରାଉତଙ୍କୁ ପଚାରିବାରୁ ଏ ବିଷୟରେ ମୋ ପାଖରେ କୌଣସି ଅଭିଯୋଗ ନାହିଁ। ତୁରନ୍ତ ଭାଲ୍‌ବ ମରାମତି ହେବ ବୋଲି କହିଥିଲେ।