ହାତୀ ଚଳପ୍ରଚଳ ଅଞ୍ଚଳରେ ପଡ଼ିଛି ପାଇପ୍‌

କେନ୍ଦୁଝର,୧୫ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାରେ ବାସହରା ହୋଇ ହାତୀମାନେ ଏଣେ ତେଣେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଆଶ୍ରୟ ନେବା ପାଇଁ ଧାଉଁଛନ୍ତି। ହାତୀମାନେ ଯାତାୟାତ କରିବା ବେଳେ ପ୍ରସସ୍ଥ ରାସ୍ତାଘାଟ ପାର ହୋଇଯିବାକୁ ପଡୁଛି। ବିଶେଷକରି ଜିଲାର ଏନ୍‌ଏଚ୍‌ ୨୦, ୪୯ ଏବଂ ୫୦ ପାର ହୋଇ ଏଣେ ତେଣେ ଯିବାକୁ ପଡୁଥିବା ବେଳେ ଅନେକ ସମୟରେ ଯାତାୟାତ କରୁଥିବା ଗାଡ଼ିମଟର, ରାସ୍ତା କଡରେ ବେଆଇନ ଗାଡ଼ି ପାର୍କିଂ, ଖାଲଖମା ଆଦି ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେବେ ଏନେଇ ବନ ବିଭାଗ ପକ୍ଷରୁ ପ୍ରତିକାର କରିବା ପାଇଁ ରାସ୍ତା କଡ଼ରେ ସଚେତନତା ହୋର୍ଡିଂ ବା ସୂଚନାଫଳକ ମାରି ଦାୟିତ୍ୱ ସାରି ଦେଉଥିବା ବେଳେ ହାତୀମାନେ ଉପରୋକ୍ତ କାରଣ ଯୋଗୁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ପୂର୍ବରୁ ରାସ୍ତା ପାର ବେଳେ ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁ ଦୁର୍ଘଟଣାଗ୍ରସ୍ତ ହୋଇ ମୃତାହତ ହେବା ଅନେକ ଦୃଷ୍ଟାନ୍ତ ରହିଛି। ଏଭଳି କେନ୍ଦୁଝର ସହରରୁ ଘଟଗାଁ ଯିବା ବାଟରେ ରାସ୍ତାକଡ଼ରେ ପାଇପରେ ଲୁହାପଥର ପରିବହନ ପାଇଁ ସ୍ଲରି ପାଇପ୍‌ ବିଛା କାମ ଚାଲିଛି। ଦୀର୍ଘ ପ୍ରାୟ ଏକ ବର୍ଷ ହେଲା ରାସ୍ତାକଡ଼ ଜଙ୍ଗଲରେ ପାଇପ ବିଛାଇବା ପାଇଁ ଖନନ ଓ ପାଇପ ବିଛା ଚାଲିଥିବାରୁ ବିଶେଷକରି ହାତୀ ଚଲାପଥ ସ୍ଥାନରେ ହାତୀମାନଙ୍କ ଯାତାୟାତରେ ସମସ୍ୟା ଉପୁଜିଛି। କାମ କରୁଥିବା ସଂସ୍ଥା କାମ ବନ୍ଦ କରି ପାଇପଗୁଡିକୁ ପକାଇ ଛାଡ଼ି ଯାଇଥିବାରୁ ହାତୀମାନେ ଯିବା ଆସିବା କରିପାରୁନାହାନ୍ତି। ସେହିପରି ଅନେକ ସ୍ଥାନରେ ପାଇପ୍‌ ପୋତିବା ପାଇଁ ଖୋଳାଯାଇଥିବା ଖାଲଗୁଡ଼ିକ ମଧ୍ୟ ସଠିକ ଭାବରେ ପୋତା ଯାଇନାହିଁ। ଏହି ରାସ୍ତାରେ ବନ ବିଭାଗ ତଥା ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଥିଲେ ହେଁ ଦେଖି ନ ଦେଖିବା ଭଳି ରହୁଥିବା ଏବଂ କାମ କରୁଥିବା ସଂସ୍ଥାକୁ ତାଗିଦ କରୁ ନ ଥିବାରୁ ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ସଦର ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି, କାମ କରୁଥିବା ସଂସ୍ଥାକୁ ହାତୀ ଚଳପ୍ରଚଳ ଅଞ୍ଚଳରେ ପାଇପ ନ ପକାଇବା ପାଇଁ ତାଗିଦ କରାଯାଇଛି।