Categories: ଜାତୀୟ

ଯୋଜନା ଥିଲା ୧୯୯୩ ଭଳି ସିରିଜ୍‌ ବିସ୍ଫୋରଣ

ନୂଆଦିଲ୍ଲୀ, ୧୭।୯: ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇକୁ ଥରାଇ ଦେଇଥିଲା ସିରିଜ୍‌ ବସ୍ଫୋରଣ। ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୨ ବୋମା ବିସ୍ଫୋରଣ ଅନେକଙ୍କ ଜୀବନ ନେଇଥିଲା। ଠିକ୍‌ ସେହିଭଳି ବୋମା ବିସ୍ଫୋରଣ ଆକ୍ରମଣ ଦିଲ୍ଲୀରେ କରିବାକୁ ଯୋଜନା କରିଥିଲେ ଦିଲ୍ଲୀ ପୋଲିସ ଦ୍ୱାରା ମଙ୍ଗଳବାର ଗିରଫ ହୋଇଥିବା ୬ ଆତଙ୍କବାଦୀ।

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଏଥିପାଇଁ ବିଭିନ୍ନ ସ୍ଥାନ ଚିହ୍ନଟ କରି ରଖିଥିଲେ। ଜେରା ବେଳେ ସେମାନଙ୍କ ଆକ୍ରମଣ ଯୋଜନା ସମ୍ପର୍କରେ ଜଣାପଡ଼ିଛି। ପୋଲିସ ସେମାନଙ୍କଠାରୁ ୧.୫ କିଲୋଗ୍ରାମ ଆର୍‌ଡିଏକ୍ସ ଜବତ କରିଛି। ଆତଙ୍କବାଦୀଙ୍କ ସିରିଜ୍‌ ବ୍ଲାଷ୍ଟ ଯୋଜନାକୁ ସଫଳ କରାଇବା ଦିଗରେ କେତେଜଣ ସ୍ଥାନୀୟ ଲୋକ ସେମାନଙ୍କୁ ସହାୟତା କରୁଥିଲେ ବୋଲି ଗିରଫ ସନ୍ଦିଗ୍ଧମାନେ ପୋଲିସକୁ କହିଛନ୍ତି। ଖୁବ୍‌ଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବା ଆଶା କରାଯାଉଛି। ମଙ୍ଗଳବାର ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରେ ୨ ଜଣ ଆଇଏସ୍‌ଆଇ ତାଲିମପ୍ରାପ୍ତ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କୁ ଦିଲ୍ଲୀର ଏକ ଅଦାଲତରେ ହାଜର କରାଯିବା ପରେ ପୋଲିସ ୧୪ ଦିନ ପାଇଁ ରିମାଣ୍ଡରେ ନେଇ ଜେରା କରୁଛି।

Share