ବିମାନରେ କାଚ ଭାଙ୍ଗିଲେ, ତଳେ ଗଡ଼ିଲେ

ଇସ୍‌ଲାମାବାଦ୍‌,୨୦ା୯:ପାକିସ୍ତାନରୁ ଦୁବାଇ ଯାଉଥିବା ବିମାନରେ ଜଣେ ଯାତ୍ରୀ ବାଚଳାମି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମଝି ଆକାଶରେ ବିମାନରୁ ଓହ୍ଲାଇବା ପାଇଁ ଜିଦ୍‌ କରିଥିଲେ ସମ୍ପୃକ୍ତ ଯୁବକ। ଯେତେ ବୁଝାସୁଝା କଲେ ସୁଦ୍ଧା ସେ କାହା କଥା ଶୁଣି ନ ଥିଲେ। ଯୁବକଙ୍କ ଏ ପ୍ରକାର ଅସ୍ବାଭାବିକ ବ୍ୟବହାର ପାଇଁ ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍‌ (ପିଆଇଏ) ଯୁବକଙ୍କୁ କଳା ତାଲିକାଭୁକ୍ତ କରିଦେଇଛି।
ପ୍ଲେନ୍‌ଟି ପେଶାଓ୍ବରରୁ ଦୁବାଇ ଅଭିମୁଖେ ଯାଉଥିଲା। ଉଡ଼ାଣ ଭରିବା କିଛି ସମୟ ମଧ୍ୟରେ ହଠାତ୍‌ ଯୁବକ ଜଣକ ବିମାନରୁ ଓହ୍ଲାଇବାକୁ କହିଥିଲେ। ଖାଲି ସେତିକି ନୁହେଁ ନିଜ ସିଟ୍‌ରୁ ଉଠି ପାଖରେ ବସିଥିବା ଯାତ୍ରୀଙ୍କୁ ହଟାଇ ବିମାନ ଫ୍ଲୋର୍‌ରେ ଗଡ଼ିପଡ଼ିଥିଲେ। ଯୁବକଙ୍କ ଏ ପ୍ରକାର ବ୍ୟବହାରରେ ଅନ୍ୟ ଯାତ୍ରୀ ବିବ୍ରତ ହୋଇ ଏହାର ସୂଚନା ପ୍ଲେନ୍‌ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। କ୍ରିଉ ମେମ୍ବର ସେଠାରେ ପହଞ୍ଚି ଯୁବକଙ୍କୁ ଯେତେ ବୁଝାସୁଝା କରିଥିଲେ ହେଁ ସେ ବୁଝି ନ ଥିଲେ। ବିମାନ ଝରକାକୁ ଗୋଇଠା ମାରି ତା’ ସଟର ଭାଙ୍ଗିବା ସହ ସିଟ୍‌କୁ ମଧ୍ୟ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ତା’ ପରେ ସମ୍ପୃକ୍ତ ଯୁବକ ଜୋର୍‌ ପାଟିରେ ଆଜାନ୍‌ (ସାମୁହିକ ପ୍ରାର୍ଥନା) ପାଠ କରିଥିଲେ। ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହେବା ନେଇ ଯୁବକଙ୍କୁ କ୍ରିଉ ମେମ୍ବର ଏଭଳି ବ୍ୟବହାର ନ କରିବା ପାଇଁ କହିଥିଲେ ହେଁ ସେ କ୍ରିଉ ମେମ୍ବରଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ। ପରିଶେଷରେ ଅତିଷ୍ଠ ହୋଇ ବିମାନ ର୍କମଚାରୀ ଏଭିଏସନ୍‌ ଆଇନ ବଳରେ ଯୁବକଙ୍କୁ ତାଙ୍କ ସିଟ୍‌ରେ ବଳପୂର୍ବକ ବାନ୍ଧି ଦେଇଥିଲେ। ବିମାନଟି ଦୁବାଇରେ ଲ୍ୟାଣ୍ଡ୍‌ କରିବା ପରେ କର୍ତ୍ତୃପକ୍ଷ ତାଙ୍କୁ କାବୁ କରିନେଲେ। ପିଆଇଏ ସମ୍ପୃକ୍ତ ଯୁବକଙ୍କୁ କଳା ତାଲିକା ଭୁକ୍ତ କରିବା ସହ ତାଙ୍କୁ ପୁଣି ପାକିସ୍ତାନ ପଠାଇ ଦେଇଥିଲେ।

Share