ଲଗାଣ ବର୍ଷାରେ ଧସିଲା, ବେଘର ହେଲେ ଲୋକେ

କୁତ୍ରା,୬ା୮(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ୪ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଯାହା ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନଈ, ନାଳ, ପୋଖରୀ, ଚାଷ ଜମି ଯୁଆଡେ ଦେଖିଲେ କେବଳ ପାଣିର ସୁଅ ଛୁଟୁଛି। ଅନେକ ଲୋକ ଏବେ ବି ପାଣି ଘେରରେ ରହିଛନ୍ତି। ରାଜ୍ୟର ସର୍ବାଧିକ ବର୍ଷା କୁତ୍ରା ଅଞ୍ଚଳରେ ହୋଇଛି। ଏଭଳି ସ୍ଥଳେ ବ୍ଲକର ବିଭିନ୍ନ ଅଞ୍ଚଳରେ ମାଟି ଘର ସବୁ ଧସିବାରେ ଲାଗିଛି। ଫଳରେ ଲୋକେ ବେସାହାରା ହୋଇପଡ଼ିଛନ୍ତି। ଗତ ବୁଧବାର ଓ ଗୁରୁବାର ଭିତରେ ବ୍ଲକରେ ୭୩ ଘର ଭାଙ୍ଗିଥିବା ବେଳେ ୫୦ ଜଣକଙ୍କୁ ପ୍ରଶାସନ ପକ୍ଷରୁ ଜରି ପାଲ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ୨ଦିନ ମଧ୍ୟରେ ପୁଣି ୪୫ ଘର ଭାଙ୍ଗିଛି। ଅନ୍ୟପକ୍ଷରେ ତରକେରାସ୍ଥିତ ଶଙ୍ଖ ନଦୀରେ ପାଣି ଫୁଲିବା ଯୋଗୁଁ ନଦୀ ତଟରେ ଥିବା ଜମି ଗୁଡିକରେ ବାଲି ବଢିଯାଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ବେହାଲ ହୋଇପଡ଼ିଛି। ଗମନାଗମନରେ ବହୁ ଅସୁବିଧା ଭୋଗୁଛନ୍ତି ଲୋକେ। ବେସାହାରା ହୋଇଥିବା ଗରିବ ଲୋକଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଘର ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Share