ଜଗତ୍ସିଂହପୁର ଅଫିସ, ୧୦ା୧: ଜଗତ୍ସିଂହପୁର ବ୍ଲକ ପୁନଙ୍ଗସ୍ଥିତ ନରେନ୍ଦ୍ରନାଥ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯାଇ ସ୍ମାର୍ଟ ଶ୍ରେଣୀ ଗୃହ ଉନ୍ନତୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ଏହି କାମ ବାବଦରେ ମୋ ସ୍କୁଲ ଅଭିଯାନ ତରଫରୁ ଜିଲାପାଳ ପାରୁଲ ପଟାୱାରୀଙ୍କୁ ଅବଗତ କରାଯାଇଥିଲା। ଏହି କାମ ସ୍କୁଲ ପରିଚାଳନା କମିଟି (ଏସ୍ଏମ୍ସି) ପରିବର୍ତ୍ତେ ଜଗତ୍ସିଂହପୁର ବିଡିଓଙ୍କ ତତ୍ତ୍ବାବଧାନରେ ହେବା ନେଇ ଜିଲାପାଳ କହିଥିଲେ। ରବିବାର ସ୍କୁଲ ଛୁଟି ସତ୍ତ୍ବେ ଏହି ବିଦ୍ୟାଳୟର ଭଲ କାନ୍ଥରୁ ପ୍ଲାଷ୍ଟର ଛଡ଼ାଯାଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ, କର୍ତ୍ତୃପକ୍ଷ କିମ୍ବା ବ୍ଲକର ବିଭାଗୀୟ କର୍ମଚାରୀଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଡିଓ ସାଗର ନନ୍ଦ ଅର୍ଥ ଲୁଟିବା ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଏହି କାମ ଦେଇଥିବା ନେଇ ମୋ ସ୍କୁଲ ଅଭିଯାନର ଏକାଧିକ ସଦସ୍ୟ ଗଣମାଧ୍ୟମ ପାଖରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅଭିଯାନର ସଦସ୍ୟ ସାରଦା ପ୍ରସାଦ ରଣା, ରଜନୀକାନ୍ତ ଚୌଧୁରୀ, ବଦ୍ରି ମହାନ୍ତି, ତ୍ରିଲୋଚନା ବେହେରା, ଲକ୍ଷ୍ମୀ ନାରାୟଣ ମିଶ୍ର, ସୁଧୀର ସିହ୍ନା ଓ ଦେବେନ୍ଦ୍ର ବେହେରା ପ୍ରମୁଖ କହିଛନ୍ତି, ବିଦ୍ୟାଳୟ ରୂପାନ୍ତରଣ କାମ ବାବଦରେ ୧୫ ଲକ୍ଷ ଟଙ୍କା ଆସିଛି। ନିୟମ ଅନୁସାରେ, ଏହି କାମ ତଦାରଖ କରିବା ପାଇଁ ୭ ଜଣିଆ କମିଟି ଗଠନ ହେବା କଥା। ଏହି କମିଟି ଯାହାଙ୍କ ନାମ ସୁପାରିସ କରିବେ ତାଙ୍କ ନାମରେ କାର୍ଯ୍ୟାଦେଶ ଦିଆଯିବା ଉଚିତ୍। କିନ୍ତୁ ବିଡିଓ ଏକତରଫା ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ କାମ କିଏ କରୁଛନ୍ତି ଜାଣିବା ପାଇଁ ସେମାନେ ବିଡିଓଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବିଡିଓ ଫୋନ ଉଠାଇ ନ ଥିଲେ। ତା’ପରେ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ଫଳରେ କାହା ନିର୍ଦ୍ଦେଶରେ ବିଦ୍ୟାଳୟ ନୂଆ ଘର କାନ୍ଥରୁ ପ୍ଲାଷ୍ଟର ଛଡାଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ମୋ ସ୍କୁଲ ଅଭିଯାନ ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ସାଗର ନନ୍ଦଙ୍କୁ ତାଙ୍କ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଉଠାଇ ନ ଥିଲେ।