ନାଟକ ‘ବିଡ଼ମ୍ବନା’ ମଞ୍ଚସ୍ଥ

ଭୁବନେଶ୍ୱର,୯।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଭକ୍ତର ସମ୍ମାନରକ୍ଷା ପାଇଁ ଭଗବାନ ସବୁବେଳେ ସଚେତନ। ଭକ୍ତ ରଘୁନାଥ ଜଣେ ଏକନିଷ୍ଠ ଜଗନ୍ନାଥ ଭକ୍ତ। ପିତା ଜମିଦାର କୃଷ୍ଣ ମହାପାତ୍ରଙ୍କର ଅକାଳ ବିୟୋଗ ପରେ ଜମିଦାରି ନିଲାମ ହୋଇଯାଏ। ରଘୁନାଥ ଚାଲିଯାଆନ୍ତି ଶ୍ରୀକ୍ଷେତ୍ର। ସେଠାରେ ଠାକୁରଙ୍କୁ ଡାକି ଦିନ କାଟିଦିଅନ୍ତି। ତାଙ୍କ ଶ୍ୱଶୁର ମହାଜନ ଗଙ୍ଗାଧର ଜ୍ବାଇଁଙ୍କ ଏ ଅବସ୍ଥା ଦେଖି ଝିଅର ଅନ୍ୟତ୍ର ବିବାହ ବ୍ୟବସ୍ଥା କରନ୍ତି। କିନ୍ତୁ ଜଗନ୍ନାଥଙ୍କ ଲୀଳା ଦ୍ୱାରା ବେତାଳ ରଘୁନାଥଙ୍କୁ ତାଙ୍କ ଶ୍ୱଶୁର ଘରେ ଛାଡ଼ିଦିଏ। ସ୍ବାମୀ-ସ୍ତ୍ରୀ ଦୁହେଁ ମିଶି ଶ୍ରୀକ୍ଷେତ୍ରକୁ ବାହାରନ୍ତି। ଶ୍ରୀକ୍ଷେତ୍ରରେ ଦୁଃଖକଷ୍ଟରେ ଜୀବନ କାଟନ୍ତି। ମାତ୍ର ପ୍ରଭୁ ଜଗନ୍ନାଥ ଭକ୍ତଙ୍କର ଏ ଅବସ୍ଥା ଦେଖି ଗଜପତିଙ୍କୁ ସ୍ବପ୍ନାଦେଶ ଦିଅନ୍ତି ଯେ ମୋ ଭକ୍ତ ରଘୁନାଥର ରହିବା ଖାଇବା ବ୍ୟବସ୍ଥା କର। ଗଜପତି ରଘୁନାଥଙ୍କୁ ନେଇ ମଠରେ ରଖି ତାଙ୍କର ଖାଇବା ପିଇବା ବନ୍ଦୋବସ୍ତ କରନ୍ତି। ଏହିଭଳି ବିଭିନ୍ନ ଦ୍ବନ୍ଦ୍ବ ମଧ୍ୟରେ ନାଟକ ‘ବିଡ଼ମ୍ବନା’ ରବିବାର ବିଜୁ ନାଟ୍ୟ କେନ୍ଦ୍ରଠାରେ ମଞ୍ଚସ୍ଥ ହୋଇଯାଇଛି। ନାଟକରେ ବିଭୂତି, ଚନ୍ଦ୍ର, ରାଜେନ୍ଦ୍ର, କାଳୀପ୍ରସନ୍ନ, ଜିତେନ୍ଦ୍ର, ଅନିଲ, ଅଶୋକ, ଦେବାଶିଷ, ମଳୟ, ରାଜ, ସାନୁ, ବିଧାଂଶୁ, ତୋଫାନ, ମମତା, କଳ୍ପନା, ମୋନିଦୀପା ପ୍ରମୁଖ ଅଭିନୟ କରିଛନ୍ତି। ଶତାବ୍ଦୀର କଳାକାର ପକ୍ଷରୁ ନାଟକଟି ପ୍ରଯୋଜିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ନାଟ୍ୟକାର ଧୀରେନ୍ଦ୍ର ମଲ୍ଲିକ ଦେଇଛନ୍ତି। କଥାକାର ଡ. ଗୌରହରି ଦାସଙ୍କ ସଭାପତିତ୍ୱରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଯୋଜକ ଓ ନିର୍ଦ୍ଦେଶକ ବିରଞ୍ଚତ୍ ନାରାୟଣ ପଣ୍ଡା, ନାଟ୍ୟକାର ବିଜୟ କୁମାର ଦାସ ଉପସ୍ଥିତ ଥିଲେ। ଧୀର ମଲ୍ଲିକ ସଭା ପରିଚାଳନା କରିଥିଲେ।

Share