Categories: ଖେଳ

ସିରାଜଙ୍କୁ ଆଲିଙ୍ଗନ କଲେ ଏହି ଖେଳାଳି

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତକୁ ବିଜୟ ପାଇଁ ୩୨୮ ରନ୍‌ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌ରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଛନ୍ତି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ସେ ୫ଟି ଉଇକେଟ୍‌ ନେଇଛନ୍ତି। ଜୋଶ ହାଜଲେଉଡଙ୍କ ଉଇକେଟ ନେଇ ନିଜର ପାଞ୍ଚ ଉଇକେଟ ପୂରଣ କରିଥିଲେ। ଏହା ସହ ପୁରା ଗାବା ମଇଦାନ ଏବଂ ଟିମ ଇଣ୍ଡିଆର ସମସ୍ତ ଖେଳାଳି ତାଙ୍କୁ ଅଭିବାଦନ ଜଣାଇବା ଆରମ୍ଭ କଲେ। ସିରାଜଙ୍କୁ ଡ୍ରେସିଂ ରୁମ୍‌କୁ ପାଛୋଟି ନେଇଥିଲେ। ଦଳର ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ଦୁଇପଟେ ଛିଡାହୋଇ ତାଳି ମାରିଥିଲେ। ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ତାଙ୍କୁ ଆଲିଙ୍ଗନ କରିଥିଲେ। ବୁମରାଙ୍କ ଅନୁପସ୍ଥିତିରେ ସିରାଜ ଟିମ ଇଣ୍ଡିଆର ବୋଲିଂ ଆକ୍ରମଣର ନେତୃତ୍ୱ ନେଉଥିଲେ ଏବଂ ସେ ୫ ଉଇକେଟ ନେଇ ନିଜକୁ ପ୍ରମାଣିତ କରିଥିଲେ। ମହମ୍ମଦ ସିରାଜଙ୍କ ପାଇଁ ଅଷ୍ଟ୍ରେଲିଆ ଗସ୍ତ ସହଜ ହୋଇନାହିଁ। ଭ୍ରମଣର ପ୍ରଥମ ମ୍ୟାଚ ପୂର୍ବରୁ ସେ ତାଙ୍କ ପିତାଙ୍କୁ ହରାଇଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ଦଳ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସିରାଜଙ୍କୁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା କିନ୍ତୁ ସେ ସିଡନୀରେ ଜାତିଗତ ମନ୍ତବ୍ୟର ଶିକାର ହୋଇଥିଲେ।

Share