ବିଚିତ୍ର ବିଶ୍ୱାଳ
୧୯୯୬ ମସିହାରେ ମୁଁ ମାଟ୍ରିକ୍ ପରୀକ୍ଷା ଦେବା ବେଳକୁ ଆମ ଭିରଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋଟ୍ ନଅ ଜଣ ଶିକ୍ଷକ ଥିଲେ। ଯଦିଓ ସେତେବେଳେ ସେମାନେ ସରକାରଙ୍କ ପାଖରୁ ଦରମା ପାଉ ନ ଥିଲେ, କିନ୍ତୁ ସେମାନେ ଆମକୁ ଖୁବ୍ ନିଷ୍ଠାର ସହିତ ପାଠ ପଢ଼ାଉଥିଲେ। ପ୍ରତ୍ୟେକ ଛାତ୍ରଙ୍କର ପ୍ରଦର୍ଶନକୁ ସେମାନେ ବ୍ୟକ୍ତିଗତ ଭାବେ ପରଖୁ ଥିଲେ ଓ ଆମ ପାଠ ପଢ଼ାରେ ଉନ୍ନତି ଆଣିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ। ଆମମାନଙ୍କୁ ଗଢ଼ି ତୋଳିବାରେ ଆମ ଶିକ୍ଷକଙ୍କର ଭୂମିକାକୁ କେବେ ବି ଭୁଲି ହେବ ନାହିଁ । ସେହି କିଶୋର ବୟସରେ ଆମେ ଦେଖୁଥିଲୁ, ଆମ ଶିକ୍ଷକମାନେ ଆମ ପାଇଁ କଠୋର ପରିଶ୍ରମ କରୁଥିଲେ। ସେତେବେଳେ ଆମ ଭିରଙ୍ଗ ଉଚ୍ଚ ବିଦ୍ୟାଳୟ ସରକାରୀ ଅନୁଦାନ ପାଇ ନ ଥିଲା। କିନ୍ତୁ ସେଥିପାଇଁ ଆମ ଶିକ୍ଷକମାନଙ୍କର ଶିକ୍ଷାଦାନରେ ନିଷ୍ଠାରେ କମ୍ ହେବାର ଆମେ କେବେ ଦେଖି ନ ଥିଲୁ। ବିଦ୍ୟାଳୟ ସ୍ଥାପନ ହେବାର ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଆମର ସେହି ଶିକ୍ଷକମାନଙ୍କୁ ସରକାରୀ ଅନୁଦାନ ମିଳିଲା। ତା’ ପୂର୍ବରୁ ସେମାନେ ସରକାରଙ୍କ ପାଖରୁ କିଛି ବି ଟଙ୍କା ପାଉ ନ ଥିଲେ। ଦୀର୍ଘବର୍ଷ ପରେ ସରକାରଙ୍କ ତରଫରୁ ସେମାନଙ୍କୁ ଯେତିକି ବି ଦରମା ମିଳିଲା, ତାହା ଅତ୍ୟନ୍ତ କମ୍। ଏପରି କି ଜଣକ ପାଇଁ ନିଜ ପରିବାରକୁ ସମ୍ମାନର ସହ ଚଳେଇବାକୁ ମଧ୍ୟ ଯଥେଷ୍ଟ ନୁହେଁ। ଆମକୁ ପାଠ ପଢ଼ାଇଥିବା ଶିକ୍ଷକମାନେ ଯତ୍କିଞ୍ଚିତ୍ ଦରମା ପାଇବା ଆରମ୍ଭ କରିବା ବେଳକୁ ଆମେ ଛାତ୍ରମାନେ ଭିନ୍ନ ଭିନ୍ନ ସ୍ଥାନରେ ଚାକିରି କରି ସେମାନଙ୍କଠାରୁ ଯଥେଷ୍ଟ ଅଧିକ ଦରମା ପାଇବାକୁ ଆରମ୍ଭ କରୁଥିଲୁ। ଏତେ ସବୁ କଥା କହିବାର କାରଣ ଆମର ସେହି ବିଦ୍ୟାଳୟର ବର୍ତ୍ତମାନର ଦୁଃସ୍ଥ ଅବସ୍ଥା।
ଆମେ ମାଟ୍ରିକ୍ ପାସ୍ କରିବା ପ୍ରାୟ ପଚିଶ ବର୍ଷ ହୋଇଗଲାଣି। ଇତି ମଧ୍ୟରେ ଶିକ୍ଷା ବ୍ୟବସ୍ଥାରେ ବି ଅନେକ ପରିବର୍ତ୍ତନ ଆସିଲାଣି। ଆମ ଦେଶରେ ଶିକ୍ଷା ଅଧିକାର ଆଇନ ଲାଗୁ ହୋଇ ସମସ୍ତଙ୍କ ପାଇଁ ଶିକ୍ଷା ଏକ ମୌଳିକ ଅଧିକାର ପଦବାଚ୍ୟ ହେଲାଣି। ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ଭିରଙ୍ଗ ଉଚ୍ଚ ବିଦ୍ୟାଳୟ ପରି ବିଦ୍ୟାଳୟ ଗୁଡ଼ିକୁ ସରକାରୀ ଭାଷାରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ କୁହାଯାଉଛି। ସାରା ଓଡ଼ିଶାରେ ଏହିପରି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଖାପାଖି ୨୨୦୦ ଅଛି। ସଂପ୍ରତି ଭିରଙ୍ଗ ଉଚ୍ଚ ବିଦ୍ୟାଳୟରେ ଶହେରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଶତାଧିକ ପିଲାଙ୍କ ପାଇଁ ମାତ୍ର ତିନି ଜଣ ଶିକ୍ଷକ ଅଛନ୍ତି। ସଂପ୍ରତି କରୋନାର ପ୍ରକୋପ ଯୋଗୁ ଅନ୍ଲାଇନ୍ ପାଠପଢ଼ା ଚାଲୁଛି। କିନ୍ତୁ ତିନିଜଣ ଶିକ୍ଷକରେ ଏହା ବି ସମ୍ଭବ ନୁହେଁ। କରୋନା ପ୍ରକୋପ କମିବା ପରେ ସଂପୂର୍ଣ୍ଣ ବିଦ୍ୟାଳୟ ଖୋଲିବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇଯିବ। ଏହା କେଉଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଦ୍ୟାଳୟର କାହାଣୀ ନୁହେଁ। ଏହା ଶିକ୍ଷା କ୍ଷେତ୍ରରେ ଆଗୁଆ ଜଗତ୍ସିଂହପୁର ଜିଲାର ଏରସମା ବ୍ଲକ୍ର ଏକ ବିିଦ୍ୟାଳୟର ବାସ୍ତବ କାହାଣୀ। ଯଦି ଜଗତ୍ସିଂହପୁର ପରି ଜିଲାର ଗୋଟିଏ ବିଦ୍ୟାଳୟର ଏପରି ଅବସ୍ଥା ତେବେ ଅନ୍ୟାନ୍ୟ ପଛୁଆ ଜିଲାରେ ବିଦ୍ୟାଳୟର ପରିସ୍ଥିତି କ’ଣ ହୋଇଥିବ ଏହା ବେଶ୍ ଅନୁମେୟ।
ବିଦ୍ୟାଳୟ କହିଲେ, କେବଳ କୋଠାଘର କିମ୍ବା ବଡ଼ ବଡ଼ ଅଟ୍ଟାଳିକା ନୁହେଁ। ବିଦ୍ୟାଳୟର ଅସଲ ପରିଚୟ ହେଉଛନ୍ତି ଶିକ୍ଷକ। କିନ୍ତୁ ଶିକ୍ଷକମାନେ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଯଦି ନୂଆ ଶିକ୍ଷକ ନ ଆସିବେ ତେବେ ସେ ବିଦ୍ୟାଳୟରେ ପାଠ ପଢ଼ା କିପରି ହେବ? ଛାତ୍ରମାନେ କରିବେ କ’ଣ? ସରକାର ଏଥିପ୍ରତି ଗୁରୁତ୍ୱର ସହିତ ଦୃଷ୍ଟି ଦେଉଥିବା ପରି ଆଦୌ ଜଣାଯାଉନାହିଁ । ଏହା କେବଳ ଭିରଙ୍ଗ ଉଚ୍ଚ ବିଦ୍ୟାଳୟର କାହାଣୀ ନୁହେଁ। ଓଡ଼ିଶାର ଅନେକ ଉଚ୍ଚ ବିଦ୍ୟାଳୟର ଅବସ୍ଥା ଏହିପରି। ସାରା ଓଡ଼ିଶାରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ପ୍ରାୟ ୫୦ ପ୍ରତିଶତ ଶିକ୍ଷକ ଅବସର ନେଇ ସାରିଲେଣି। ୧୦ ପ୍ରତିଶତ ଶିକ୍ଷକ କୌଣସି କାରଣରୁ ମୃତ୍ୟୁବରଣ କରିସାରିଛନ୍ତି। ମାତ୍ର ଚାଳିଶ ପ୍ରତିଶତ ଶିକ୍ଷକରେ ସଂପ୍ରତି ଏହି ବିଦ୍ୟାଳୟଗୁଡ଼ିକ ଚାଲୁଛି। ଫଳରେ ଏସବୁ ବିଦ୍ୟାଳୟଗୁଡ଼ିକରେ ଆଉ ପୂର୍ବ ପରି ପାଠପଢ଼ାର ସୁଯୋଗ ନାହଁି। କେବଳ ଯାହା ଗତାନୁଗତିକ ଭାବେ ଅଫିସ୍ କାମ ଚାଲୁଛି। କାରଣ ୬୦ ପ୍ରତିଶତ ଶିକ୍ଷକଙ୍କ ସ୍ଥାନ ଖାଲି ପଡ଼ିଲେ, ବିଦ୍ୟାଳୟରେ ପାଠ ପଢ଼ା କିପରି ହୋଇପାରିବ? ବିଦ୍ୟାଳୟରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକ ନ ଥିବାରୁ ଉପସ୍ଥିତ ଶିକ୍ଷକମାନଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି। ଫଳସ୍ବରୂପ ସେମାନେ ଶିକ୍ଷାଦାନ ପରି ମହତ୍ କାର୍ଯ୍ୟକୁ ନିଷ୍ଠାର ସହ କରିପାରୁନାହାନ୍ତି। ବର୍ତ୍ତମାନ ଯଦି ବିଦ୍ୟାଳୟଗୁଡ଼ିକର ଏପରି ପରିସ୍ଥିତି ତେବେ ୨୦୨୩-୨୪ ବେଳକୁ ବିଦ୍ୟାଳୟରେ ପିଲାମାନେ ତ ଥିବେ କିନ୍ତୁ ସେମାନଙ୍କୁ ପଢ଼େଇବା ପାଇଁ ଶିକ୍ଷକ ନ ଥିବେ। ଏସବୁ ବିଦ୍ୟାଳୟଗୁଡ଼ିକ କେବଳ ନାମକୁ ମାତ୍ର ଥିବ। କିନ୍ତୁ ସେଠାରେ ଆଉ ପାଠପଢ଼ା ହେଉ ନ ଥିବ। ସରକାରୀ ଓ ଘରୋଇ ବିଦ୍ୟାଳୟ ବିତର୍କ ବେଳେ ଆଜି ଯେମିତି ଆମେ ଆମ ଫେସ୍ବୁକ୍ ପ୍ରୋଫାଇଲ୍ ଫଟୋରେ ‘ମୁଁ ସରକାରୀ ସ୍କୁଲ୍ରେ ପଢ଼ିଥିବାରୁ ଗର୍ବିତ’ ଟ୍ୟାଗ୍ ଲଗେଇ ପୋଷ୍ଟ କରିପାରୁଛେ, ଆଉ ଦଶ ବର୍ଷ ପରେ ବର୍ତ୍ତମାନର ଛାତ୍ର ସମାଜ ସେମିତି କହିପାରିବେ କି? ସରକାରୀ ସ୍କୁଲ୍ରେ ପଢ଼ିଥିବାରୁ ସେମାନେ କେବେ ବି ଗର୍ବିତ ହେବେ ନାହିଁ । କାରଣ ସରକାର ପିଲାମାନଙ୍କ ପାଇଁ ସରକାରୀ ବିଦ୍ୟାଳୟରେ ଶିକ୍ଷକ ବି ନିଯୁକ୍ତ କରୁନାହାନ୍ତି।
ଆମ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଦ୍ୟାଳୟକୁ ଶିକ୍ଷକ ଯୋଗାଇ ପାରୁ ନାହାନ୍ତି। ସବୁ ବିଦ୍ୟାଳୟକୁ ଦକ୍ଷ ଓ ପ୍ରଶିକ୍ଷିତ ଶିକ୍ଷକ ଯୋଗାଇ ଦେବା, ଶିକ୍ଷା କ୍ଷେତ୍ରରେ ସରକାରଙ୍କ ପ୍ରଥମ ପଦକ୍ଷେପ ହେବା ଉଚିତ। କେବଳ ଶିକ୍ଷା ଦ୍ୱାରା ହଁି ଗୋଟିଏ ଉନ୍ନତ ଦେଶ ଓ ସମାଜ ନିର୍ମାଣ ହୋଇପାରିବ। ଶିକ୍ଷାକୁ ଅବହେଳା କରି କୌଣସି ସମାଜ କେବେ ଆଗକୁ ଯାଇପାରିବ ନାହିଁ । ଅର୍ଥନୀତି, ରାସ୍ତାଘାଟ, ପର୍ଯ୍ୟଟନସ୍ଥଳୀ ଆଦି ଯେତେ ଚିକ୍ମିକ୍ ହେଲେ କ’ଣ ହେବ, ଯଦି ଆମେ ଆମ ପିଲାମାନଙ୍କୁ ପଢ଼େଇବା ପାଇଁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିପାରିବା ନାହିଁ !
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହିପରି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୭୦ ପ୍ରତିଶତରୁ ଅଧିକ ଗ୍ରାମାଞ୍ଚଳର ପିଲାମାନେ ପଢ଼ୁଛନ୍ତି। ଏହି ବିଦ୍ୟାଳୟକୁ ଯଦି ଶିକ୍ଷକ ଯୋଗାଇ ଦିଆ ନ ଯିବ, ତେବେ ଏହି ଗ୍ରାମାଞ୍ଚଳର ପିଲାମାନେ ପାଠ ପଢ଼ାରୁ ବଞ୍ଚତ୍ତ ହେବେ। ଗ୍ରାମାଞ୍ଚଳରେ ଘରୋଇ ସ୍କୁଲ୍ ନାହିଁ । ଯଦି ବି କେଉଁଠି ଘରୋଇ ସ୍କୁଲ୍ ଥିବ, ସେଠି ଲୋକଙ୍କ ପାଖରେ ଟଙ୍କା ନାହିଁ ପିଲାମାନଙ୍କୁ ଘରୋଇ ସ୍କୁଲ୍ରେ ପାଠ ପଢ଼େଇବା ପାଇଁ। ତେଣୁ ଏହିପରି ସ୍କୁଲ୍ଗୁଡ଼ିକ ହିଁ ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଏକମାତ୍ର ବିକଳ୍ପ। ଏଗୁଡ଼ିକୁ ଅବହେଳା କରିବା ଅର୍ଥ ଗ୍ରାମାଞ୍ଚଳର ପିଲାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଶିକ୍ଷାରୁ ବଞ୍ଚିତ କରିବା। ପରିସ୍ଥିତି ଆଜି ଏପରି ହୋଇଛି, ଶିକ୍ଷା ଅଧିକାର ଆଇନ୍ ଅନୁସାରେ ପିଲାମାନେ ସ୍କୁଲ୍ରେ ନାମ ତ ଲେଖାଇଛନ୍ତି, କିନ୍ତୁ ତାଙ୍କୁ ପଢ଼େଇବା ପାଇଁ ସେଠାରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକ ନାହାନ୍ତି। ଏହା ଶିକ୍ଷା ଅଧିକାର ଆଇନର ଖୋଲାଖୋଲି ଉଲ୍ଲଂଘନ। ମୋଟେ ରାସ୍ତା ତିଆରି ନ କରି ଗାଡ଼ି ଚଳେଇବା ପାଇଁ ଅନୁମତି ଦେବା ଯାହା, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ କରି ଶିକ୍ଷା ଅଧିକାର ଆଇନକୁ ଲାଗୁକରିବା ତାହା। ଏଥିରେ ସରକାରଙ୍କ ଶିକ୍ଷା ପ୍ରତି ବୈମାତୃକ ମନୋଭାବର ସମ୍ପୂର୍ଣ୍ଣ ପରିଚୟ ମିଳୁଛି। ସହରାଞ୍ଚଳରେ ପିଲାମାନେ ସମ୍ପୂର୍ଣ୍ଣ ସରକାରୀ ବିଦ୍ୟାଳୟ କିମ୍ବା ଘରୋଇ ବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ପାଉଛନ୍ତି। କିନ୍ତୁ ଗ୍ରାମାଞ୍ଚଳର ପିଲାମାନଙ୍କର ପାଠପଢ଼ା କେବଳ ଏହି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଉପରେ ନିର୍ଭର କରୁଛି। ତେଣୁ ଏହି ବିଦ୍ୟାଳୟଗୁଡ଼ିକୁ ସରକାର ତାଙ୍କ ପ୍ରାଥମିକତା ତାଲିକାରେ ରଖିବା ଉଚିତ।
ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ସରକାରୀ ସ୍କୁଲ୍ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ରେ ମୋଟ୍ ୧୪୦୦୦ ଶିକ୍ଷକ ପଦବୀ ଖାଲିପଡ଼ିଛି। ଦୀର୍ଘ ପାଞ୍ଚ ବର୍ଷ ଧରି ଏହି ସବୁ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଉକ୍ତ ସ୍କୁଲ୍ରେ ପାଠପଢ଼ା କିପରି ଚାଲିଥିବ ବୁଝା ପଡ଼ୁଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଅଧିକ ପଦବୀ ଖାଲିପଡ଼ିଛି ବୋଲି ଶିକ୍ଷାମନ୍ତ୍ରୀ ବିଧାନସଭା ଅଧିବେଶନରେ ସୂଚନା ଦେଇଛନ୍ତି। ୨୦୦୦ରୁ ଅଧିକ ସ୍କୁଲ୍ରେ ପ୍ରଧାନଶିକ୍ଷକ ସ୍ଥାନ ଖାଲିପଡ଼ିଛି।
ଗୋଟିଏ ପଟେ ଶିକ୍ଷାକୁ ଘରୋଇକରଣ କରିବା ପାଇଁ ରାସ୍ତା ଖୋଲାଯାଉଥିବା ବେଳେ ଅନ୍ୟପଟେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନ କରିବାରୁ ଆମେ କ’ଣ ବୁଝିବା ଯେ, ସରକାର ଜାଣିଶୁଣି ଶିକ୍ଷକ ନିଯୁକ୍ତି ଦେଉନାହାନ୍ତି, ଫଳରେ ସରକାରୀ ସ୍କୁଲ୍ଗୁଡ଼ିକ ଦୁର୍ବଳ ହେବ ଓ ପରିଣତି ସ୍ବରୂପ ପିଲାମାନେ ଘରୋଇ ବିଦ୍ୟାଳୟ ମୁହଁା ହେବେ! ସରକାରଙ୍କ ଏତାଦୃଶ ମନୋଭାବ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପ୍ରଦର୍ଶିତ କରୁଛି। ତେଣୁ ସରକାର ଯଥାଶୀଘ୍ର ଖାଲିପଡ଼ିଥିବା ଶିକ୍ଷକ ପଦବୀ ଗୁଡ଼ିକୁ ପୂରଣ କରି ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଉତ୍ତମ ଶିକ୍ଷା ଗ୍ରହଣର ସୁଯୋଗ ସୃଷ୍ଟି କରିବା ଉଚିତ। ଭୁଲି ଯିବା ଉଚିତ ନୁହେଁ ଯେ, ବିକାଶର ମୁଖ୍ୟ ସୂଚକାଙ୍କ ହେଉଛି ଶିକ୍ଷା ବ୍ୟବସ୍ଥାର ବିକାଶ।
ଭିରଙ୍ଗ, ତିରଣ, ଜଗତ୍ସିଂହପୁର
ମୋ-୯୪୩୮୪୬୮୪୭୪