ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଥମୁନି

ଖୋର୍ଦ୍ଧା ଅଫିସ,୨୧।୮: ମହାନଦୀର ଶାଖା ଓ ଉପନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲାର ୫ଟି ବ୍ଲକ ପ୍ରଭାବିତ ହୋଇଛି। ତେବେ ଜଟଣୀ ବ୍ଲକ ତିରିମଲ ଠାରେ ରାଜୁଆ ନଦୀରେ ଶହେ ଫୁଟର ଘାଇ ଯୋଗୁ ଖୋର୍ଦ୍ଧା ବ୍ଲକର ନରଣଗଡ, ଓବରସିଂହ ଓ ବ୍ରଜମୋହନପୁର ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା ବଢ଼ାଇଛି। ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, କୃଷ୍ଣପୁର, ରାୟପୁର, ମାନପୁର,ବଳପୁର, ଧବଳପୁର, ଓରମୀ ଆଦି ଗ୍ରାମରେ ଏବେବି ବନ୍ୟାଜଳ ଲହଡି ମାରୁଛି। ସପ୍ତାହ ହେଲାଣି ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏକର ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅନ୍ୟପଟେ ବନ୍ୟାଜଳରେ ହିଂସ୍ରଜନ୍ତୁଙ୍କ ପାଦୁର୍ଭାବ ବଢିଛି। ଘର ଭିତରକୁ ବେଙ୍ଗ, ସାପ ପଶି ଆସୁଛନ୍ତି। ଏପରିକି ଅଳିଆ, ଆବାର୍ଜନା ମଧ୍ୟ ଭାସି ଆସୁଛି। ଫଳରେ ଘରେ ରହି ହେଉନି ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଜମି ଓ ରାସ୍ତା ଏକାକାର ହୋଇଯାଇଛି ବୋଲି ଢିହଖଳାର ପରମାନନ୍ଦ ଛୋଟରାୟ କହିଛନ୍ତି। ଶରଧାପୁରରେ ୪ ଫୁଟ ଉଚ୍ଚର ପାଣି ଲହଡି ମାରୁଛି। ଫଳରେ ଗ୍ରାମବାସୀ ଛାତ ଉପରେ ରହିଛନ୍ତି।
ରିଲିଫ ଖାଦ୍ୟ ଖାଇ ରହିଛୁ
ମାନପୁର ଗ୍ରାମର ବ୍ରଜ ପ୍ରଧାନ କୁହନ୍ତି, ଘର ଚାରିପଟେ ପାଣି ଜମି ରହିଛି। ସପ୍ତାହ ହେଲାଣି ଘରେ ଚୂଲି ଜଳିନି। ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରନ୍ଧା ଖାଦ୍ୟ ଖାଇ ରହିଛୁ। ସେହିପରି ଧବଳପୁର ଜଣେ ମହିଳା କୁହନ୍ତି, ଘରେ ପିଲାଛୁଆ, ବୃଦ୍ଧ ମା’ବାପା ଅଛନ୍ତି। ସେମାନେ କ’ଣ ଖାଇବେ ରାତି ପାହିଲେ ଚିନ୍ତା ଘାରୁଛି।
ଚାଲିଛି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା
ବନ୍ୟାରେ ବିଶେଷକରି ଗୋସମ୍ପଦ ପ୍ରଭାବିତ ହୋଇଛନ୍ତି। ଜିଲା ପ୍ରାଣୀଧନ ବିଭାଗ ପକ୍ଷରୁ ବନ୍ୟା ପ୍ରଭାବିତ ଗ୍ରାମରେ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଡା. ପ୍ରଜ୍ଞାମିତା ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଟିମ୍‌ ବନ୍ୟାଘେରରେ ରହିଥିବା ଗ୍ରାମ ଗସ୍ତ କରି ଗୋରୁଗାଈଙ୍କ ଚିକିତ୍ସା କରୁଛନ୍ତି। ଅନ୍ୟପଟେ ଗୋରୁଗାଈଙ୍କ ପାଇଁ ପ୍ରଶାସନ ପକ୍ଷରୁ ଗୋ ଖାଦ୍ୟ ଯୋଗାଇ ଦିଆଯାଉଛି।
ପାଣି ଘେରରେ ୭୩ ଗଁା
ଅତିରିକ୍ତ ଜିଲାପାଳ ମନୋଜ ପାଢୀ କୁହନ୍ତି, ଜିଲାରେ ବନ୍ୟା ପରିସ୍ଥିତି ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଜିଲାର ୫ଟି ବ୍ଲକର ୨୨ଟି ପଞ୍ଚାୟତର ୭୩ଟି ଗଁା ପାଣି ଘେରରେ ରହିଥିବା ବେଳେ ୩୯,୮୨୩ଜଣ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ୨୪ ଟି ଆଶ୍ରୟସ୍ଥଳୀରେ ୯୮୫୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୫୬ଟି ସ୍ଥାନରେ ଫ୍ରି କିଚେନ କରାଯାଇଛି। ପ୍ରାଣୀଧନ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ଚାଲିଛି। ବନ୍ୟା ବିପନ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ମାତ୍ରାରେ ଗୋଖାଦ୍ୟ ଦିଆଯାଇଛି। ଲୋକଙ୍କ ଚିକିତ୍ସା ଲାଗି ଅସ୍ଥାୟୀ ମେଡିକାଲ ଟିମ୍‌ ରହିଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଲୋକଙ୍କ ଯାତାୟାତ ଲାଗି ବୋଟର ବ୍ୟବସ୍ଥା କରାଯାଇଛି।

Share