ଅଳ୍ପ ବର୍ଷାରେ ବଳିପଡୁଛି ୫ ଗ୍ରାମର ଲୋକଙ୍କ ଦୁର୍ଦ୍ଦଶା

କୋରାପୁଟ,୮ା୧୦(ଅମିତାଭ ବେହେରା)କୋରାପୁଟ ସହରଠାରୁ ମାତ୍ର ୭ କି.ମି. ଦୂରରେ ରହିଥିଲେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇ ରହିଛନ୍ତି ୫ଖଣ୍ଡ ଗ୍ରାମର ବାସିନ୍ଦା । ରାସ୍ତା ସୁବିଧା ନ ଥିବାରୁ ବଜ଼ାରଘାଟଠାରୁ ଆରମ୍ଭକରି ପ୍ରତ୍ୟେକ କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । କୋରାପୁଟ ପୌର ପରିଷଦର ମାସିପୁଟ ଗାଁ ଥିବା ବେଳେ କୋରାପୁଟ ବ୍ଲକ ଲଙ୍କାପୁଟ ପଞ୍ଚାୟତର କୋଲାବ, ଚଣ୍ଡାଳଗୁଡା, ଡୁମୁରିଗୁଡା ଓ ଥାଟୁଗୁଡା ଗ୍ରାମ ରହିଛି l ଏହି ୫ ଗ୍ରାମରେ ୩ଶହରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି l ଗ୍ରାମଗୁଡିକୁ ଯିବା ପାଇଁ ଏଯାଏ ଭଲ ରାସ୍ତାଟିଏ ନାହିଁ। ସାଧାରଣତଃ ଚାଷକରି ପରିବାର ଚଳାଉଥିବା ଏହି ଗ୍ରାମବାସୀ ସେମାନଙ୍କ ଉତ୍ପାଦିତ ଫସଲକୁ ବଜ଼ାରରେ ବିକ୍ରି କରିବାକୁ ନେବା ପାଇଁ ରାସ୍ତା ସାଜୁଛି ପ୍ରତିବନ୍ଧକ। ଭଲ ରାସ୍ତାଟିଏ ନ ଥିବାରୁ ୭ କି.ମି. ବାଟ ଚାଲିଚାଲି ଆସି କୋରାପୁଟ ସହରରେ ନିଜ ସାମଗ୍ରୀ ବିକ୍ରିକରି ସନ୍ଧ୍ୟାରେ ଫେରୁଛନ୍ତି। ଟିକେ ବର୍ଷା ହେଲେ ସେମାନଙ୍କ ସମସ୍ୟା ବଢ଼ିଯାଏ। ବର୍ଷାଦିନରେ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡୁଛି ବୋଲି ମସିପୁଟ ଗ୍ରାମର ନୀଳ ମୁଦୁଲି ଓ କୋଲାବ ଗ୍ରାମର ବିମଳ ମାଝି କହିିଛନ୍ତି। ଗ୍ରାମକୁ ପକ୍କା ରାସ୍ତାଟିଏ ତିଆରି କରିଦେବାକୁ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନଠାରୁ ଆରମ୍ଭକରି ଜିଲା ପ୍ରଶାସନ ନିକଟରେ ଅଭିଯୋଗକରି ଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳିନାହିଁ । ଏନେଇ ବ୍ଲକରେ ହେଉଥିବା ଅଭିଯୋଗ ଶୁଣାଣିରେ ବ୍ଲକ ଅଧ୍ୟକ୍ଷା ନମିତା ମାଝି ବାରମ୍ବାର ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ ଅଧିକାରୀମାନଙ୍କୁ ଅବଗତ କରାଇବା ପରେ ମଧ୍ୟ ତାଙ୍କ କଥାକୁ ଅଧିକାରୀମାନେ କୌଣସି ଗୁରୁତ୍ୱ ଦେଇନାହାନ୍ତି। ଗ୍ରାମବାସୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଥିଲେ । ସେସମୟରେ ଉପଜିଲାପାଳ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ବୁଝାଶୁଝା କରି ଭୋଟ ଦେବାକୁ କହିଥିଲେ। ଖୁବ୍‌ କମ୍‌ ଦିନ ଭିତରେ ରାସ୍ତା କାମ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନକୁ ଏବେ ପାଖାପାଖି ୨ ବର୍ଷ ବିତିଗଲାଣି ଆଉ ଉପଜିଲାପାଳଙ୍କ ପ୍ରତିଶ୍ରୁତି ମନେପଡୁନି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କୁ ପଚାରିବାରୁ ସେ କହିଲେ, ଆମ ପୌର ପରିଷଦ ପକ୍ଷରୁ କେତେକ ରାସ୍ତାର ଟେଣ୍ଡର ଡକାହୋଇଛି। ଯେଉଁ ରାସ୍ତାର ଟେଣ୍ଡର ହୋଇନାହିଁ ଦଶହରା ପରେ ହେବ। ତେବେ ମସ୍ତିପୁଟ ଗ୍ରାମ ରାସ୍ତା ପାଇଁ ବ୍ୟକ୍ତିଗତ ଜମି ସମସ୍ୟା ରହିଛି। ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ହେଲେ ବ୍ୟକ୍ତିଗତ ଜମି ଥିବା ଜମିମାଲିକଙ୍କୁ ଡାକି ଦଶହରା ପରେ ବୈଠକ କରିବେ ବୋଲି ସେ କହିଥିଲେ।

Share