ଗାଁ ଦାଣ୍ଡରେ ଗଡୁନି ଶଗଡ଼, କ୍ଷେତକୁ ଯାଉନି ହଳ

ପଟ୍ଟାମୁଣ୍ଡାଇ, ୧୨ା୬(ସ୍ବ.ପ୍ର.): ବର୍ତ୍ତମାନ ବିଜ୍ଞାନ ଯୁଗରେ ବାସ କରୁଛି ମଣିଷ। ପୁରଠୁ ପଲ୍ଲୀ ସବୁଠି ଆଧୁନିକତାର ଛାପ। ଦିନ ଥିଲା ଶଗଡ଼ ଗାଡ଼ି ଯାତ୍ରୀ ପରିବହନଠାରୁ ଆରମ୍ଭ କରି ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା। ଅଧିକାଂଶ ଘରେ ବଳଦ, ଲଙ୍ଗଳ ଓ ଶଗଡ଼ ଗାଡ଼ି ଥିବାର ଦେଖିବାକୁ ମିଳୁଥିଲା। ଗ୍ରାମୀଣ ଜୀବନରେ ମଧ୍ୟ ଆଧୁନିକତାର ଚାକଚକ୍ୟରେ ଏହା ହଜିଗଲାଣି। ବିଜ୍ଞାନର ଅଗ୍ରଗତି ଏବଂ ଯନ୍ତ୍ର ଯୁଗର ଆଗମନ ପରେ ଏକଦା ଚାଷୀ ପାଇଁ ନିତାନ୍ତ ଆବଶ୍ୟକ ଥିବା ବଳଦ, ଲଙ୍ଗଳ ଓ ଶଗଡ଼ ଗାଡ଼ି ଅଲୋଡ଼ା ହେବାରେ ଲାଗିଛି।
ଉତିକଣ ଅଞ୍ଚଳର ପୁରୁଖା ଚାଷୀ ତଥା କୃଷକ ନେତା ବିଜୟ ଦାସ କୁହନ୍ତି, କେନ୍ଦ୍ରାପଡ଼ା ଏକ କୃଷି ପ୍ରଧାନ ଜିଲା। ଏହାର ୮୦ ଭାଗ ଅଧିବାସୀ କୃଷି ଉପରେ ନିର୍ଭରଶୀଳ। କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଗକାଳର ଚାଷୀ ସୂର୍ଯ୍ୟ ଉଇଁଲା ମାତ୍ରେ ବଳଦ ଓ ଲଙ୍ଗଳ ସହ କ୍ଷେତକୁ ବାହାରି ପଡ଼ୁଥିଲେ। କ୍ଷେତ କାମ ସାରି ପୁଣି ସୂର୍ଯ୍ୟ ନଇଁଲେ ନଡ଼ା, କ୍ଷେତର ଫସଲ ଧରି ଶଗଡ଼ ଗାଡ଼ିରେ ଘର ମୁହଁା ହେଉଥିଲେ। ହେଲେ ଏସବୁ ଏବେ ସ୍ମୃତି ହୋଇ ରହିଯାଇଛି। ସିମୁଳିଆ ଗ୍ରାମର କ୍ଷୀରୋଦ ମଲିକ କୁହନ୍ତି, ଆଜିକାଲି ଗଁାଗଣ୍ଡାରେ ଆଉ ଗଡ଼ୁନି ଶଗଡ଼ ନା ଆଗଭଳି ଆଉ ହଳ ଲଙ୍ଗଳ ଦିଶୁନି କି ବଳଦଙ୍କ ହମ୍ବାରଡ଼ି ଶୁଭୁନାହିଁ। ପୁରୁଣାକାଳିଆ ଶଗଡ଼ର ସ୍ଥାନ ନେଇଛି ଆଧୁନିକ ଯନ୍ତ୍ରପାତି। ଜମିରେ ଲଙ୍ଗଳ ବଦଳରେ ବୁଲୁଛି ଟ୍ରାକ୍ଟର, ପାଓ୍ବାର ଟିଲର ଓ ହାର୍ଭେଷ୍ଟର ଭଳି ଆଧୁନିକ ଯନ୍ତ୍ରପାତି। ଏହି ଯାନ୍ତ୍ରିକ ଗାଡ଼ିର ଘଡ଼ ଘଡ଼ କର୍କଶ ଶବ୍ଦରେ କାନ ଫାଟିଯାଉଛି। ଆଉ ଏଥିରୁ ବାହାରୁଥିବା କଳାଧୂଅଁା ପରିବେଶକୁ ପ୍ରଦୂଷିତ କରୁଛି। ମାତ୍ର ଏହା ଚାଷୀ ପାଇଁ ଧାନ ଅମଳ ଏବଂ ପରିବହନ କରିବା ସହଜ ହେଉଛି। ସେଥିନେଇ ଯାନ୍ତ୍ରିକ ଗାଡ଼ିର ବ୍ୟବହାର ଅଧିକ ହେଉଛି। ଚାଷୀ ସୁଶାନ୍ତ ସାମଲ କୁହନ୍ତି, ହଳ ଲଙ୍ଗଳ, ଶଗଡ଼ ଆଜିି ସ୍ମୃତି ପାଲଟି ଯାଇଛି। ରାତିର ଘନ ଅନ୍ଧାରରେ ଶଗଡ଼ର କେଁ କଟର ଶବ୍ଦ ଶୁଭୁନି କି ଶଗଡ଼ିଆ ଗୀତ ଗାଉନି। କାଠରେ ନିର୍ମିତ ପ୍ରଦୂଷଣବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଅଲୋଡ଼ା ହୋଇପଡ଼ିଛି। ଅଣ୍ଢରା ଗ୍ରାମର ସମବାୟବିତ୍‌ ଚିତ୍ତରଞ୍ଜନ ମଲ୍ଲିକ କୁହନ୍ତି, ଗ୍ରାମାଞ୍ଚଳରେ କଁା ଭଁା ସ୍ବାବଲମ୍ବୀ ଚାଷୀ ବଳଦ, ହଳ, ଲଙ୍ଗଳ ରଖିଥିବା ବେଳେ ଶଗଡ଼ ଗାଡ଼ିରେ ଧାନ କ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁଥିବାର ବିରଳ ଦୃଶ୍ୟ କ୍ୱଚିତ ଦେଖିବାକୁ ମିଳୁଛି। ପୁରୁଣା କାଳରେ ଲୋକେ ବ୍ୟବହାର କରୁଥିବା ଲଙ୍ଗଳ ଫାଳ, ଜୁଆଳି ଓ ଶଗଡ଼ ଗାଡ଼ିରେ ଲାଗୁଥିବା ଚକ ବର୍ଜ୍ୟବସ୍ତୁ ଭଳି କେଉଁଠି ରାସ୍ତା କଡ଼ରେ ପଡିଛି ତ କେଉଁଠି ପିଣ୍ଡାରେ ଡେରା ହୋଇଛି। ଶିକ୍ଷାବିତ୍‌ ପ୍ରେମାନନ୍ଦ ପଣ୍ଡା କୁହନ୍ତି, ନିଜକୁ ଆଧୁନିକ ବୋଲାଉଥିବା ମଣିଷ ନିଜର ପୁରୁଣା ଜିନିଷକୁ ଭୁଲିବାରେ ଲାଗିଛି। ଆଜିର ଯୁବପିଢି କେବଳ ବର୍ଣ୍ଣବୋଧ ବହିରେ ଚକ, ଅଖ, ଶଗଡ଼ ଚିହ୍ନୁଛନ୍ତି। ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁ ମାଟି, ପାଣି, ପବନ ବିଷାକ୍ତ ହେବାରେ ଲାଗିଛି। ଯେଉଁ କାରଣରୁ ନାନାବିଧ ରୋଗରେ ପଡ଼ି ମଣିଷ ଛଟପଟ ହେଉଛନ୍ତି।

Share