ଭାରିଯାନ ଧକ୍କାରେ ଭାଙ୍ଗିଲା ପୋଲ ସୁରକ୍ଷା ବାଡ଼

ଛେଣ୍ଡିପଦା,୧୦।୫(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ଦେଇଯାଇଥିବା ଛେଣ୍ଡିପଦା- ଅନୁଗୋଳ ୬୩ ନମ୍ବର ରାଜ୍ୟ ରାଜପଥରେ ଗତ ବିଳମ୍ବିତ ରାତିରେ ଏକ ବଡ଼ ଲୁହା ଯନ୍ତ୍ରାଂଶ ବୋଝେଇ ଭାରିଯାନ ଧକ୍କାରେ କୁମ୍ଭୀରା ନାଳ ପୋଲର ସରକ୍ଷା ବାଡ ଭାଙ୍ଗିଯାଇଛି। ଘଟଣାରୁ ପ୍ରକାଶ, ୩ଟି ଲୁହା ଯନ୍ତ୍ରାଂଶ ବୋଝେଇ କରି ଯାଉଥିବା ଟ୍ରେଲର ରବିବାର ବିଳମ୍ବିତ ରାତିରେ ଛେଣ୍ଡିପଦା ବଜାର ପାର ହେଉଥିବାବେଳେ କୁମ୍ଭୀରା ନାଳ ପୋଲର ସୁରକ୍ଷା ବାଡକୁ ଧକ୍କା ଦେଇଥିଲା। ପୂର୍ତ୍ତ ବିଭାଗ ପାଖରୁ କୌଣସି ଅନୁମତି ନ ନେଇ ଉକ୍ତ ଭାରିଯାନ ଯାତାୟାତ କରିବା ସହିତ ସୁରକ୍ଷା ବାଡ ଭାଙ୍ଗି ଦେଇଥିବା ନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବିଶ୍ବାଳ ଟ୍ରେଲର ନିକଟକୁ ଯାଇ ତଦନ୍ତ କରିଥିଲେ। ଏ ନେଇ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଥାନାରେ ଏତଲା ଦେବେ ବୋଲି ଯନ୍ତ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଓ ବିଦ୍ୟୁତ୍‌ ବିଭାଗର କେତେଜଣ କର୍ମଚାରୀ ଓ ପୋଲିସ ହାତଗୁଞ୍ଜା ନେଇ ଉକ୍ତ ଗାଡ଼ି ପାର୍‌ କରିଦେବାରେ ସହଯୋଗ କରିଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ରବିବାର ରାତି ୧ଟାରୁ ଭୋର୍‌ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ କରାଯାଇଥିବା ଆଲୋଚନା ହେଉଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିର କାଗଜପତ୍ର ଜବତ କରିବା ସହିତ ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗକୁ ସୂଚନା ଦେଇଥିବା ଥାନା ଅଧିକାରୀ ଧୀରେନ୍‌ କୁମାର ବେହେରା କହିଛନ୍ତି।

Share