ଅତଡ଼ା ଖସୁଛି, ଟାଙ୍ଗଣା ପୋଲ ବିପଦସଙ୍କୁଳ

ନୀଳଗିରି, ୧୧ା୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଶେରଗଡ଼ ନୀଳଗିରି ଝରଣଘାଟି ୧୯ନଂ. ରାଜ୍ୟ ରାଜପଥ ଟାଙ୍ଗଣା ଛକ ନିକଟରେ ଥିବା ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସୋମବାର ରାତିରେ ପୋଲ ମଝିରେ ୫ଫୁଟ ଲମ୍ବର ଅତଡ଼ା ଖସିପଡିଛି। କେଉଁ ମୁହୂର୍ତ୍ତରେ ପୋଲ ଭୁଶୁଡିବା ଆଶଙ୍କା ରହିଛି। ମଙ୍ଗଳବାର ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ନୀଳଗିରି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦାୟିତ୍ୱରେ ଥିବା ବାଲେଶ୍ୱର ପୂର୍ତ୍ତ ବିଭାଗର ଏସ୍‌ଡିଓ ଦୁର୍ଗାଚରଣ ସାହୁ, କନିଷ୍ଠଯନ୍ତ୍ରୀ ଲକ୍ଷ୍ମଣ ସିଂ ପହଞ୍ଚି ଭାରିଯାନ ଚଳାଚଳ ବନ୍ଦ କରାଇବା ସହ ଅତଡା ଖସିଥିବା ସ୍ଥାନରେ ବ୍ୟାରିକେଡ କରାଇଥିଲେ। ଅଧାପନ୍ତରିଆ ଭାବେ ପଡିରହିଥିବା ନୂତନ ପୋଲର କାମ ଜରୁରୀକାଳୀନ ଭିତ୍ତିରେ ଆରମ୍ଭ ହେବାର ସୂଚନା ମିଳିଛି।

ଏହାକୁ ଭ୍ରୁକ୍ଷେପ ନ କରି ଏହି ଦୁର୍ବଳ ପୋଲ ଉପରେ ଯାତାୟାତ କରୁଛନ୍ତି। ଅନ୍ୟପକ୍ଷରେ ଏହି ଦୁର୍ବଳ ପୋଲ ନିକଟରେ ପୂର୍ତ୍ତବିଭାଗ ପକ୍ଷରୁ ଅନ୍ୟ ଏକ ନୂତନ ପୋଲ ହେଉଥିଲେ ସୁଦ୍ଧା ଦୀର୍ଘଦିନ ହେବ ଅଧାପନ୍ତରିଆ ଅବସ୍ଥାରେ ରହିଛି। ତେବେ ଏକ ବଡ଼ଧରଣର ଅଘଟଣ ଘଟିବା ପୂର୍ବରୁ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି। ଏହି ପୋଲ ବହୁବର୍ଷ ପୂର୍ବରୁ ହୋଇଥିବା ବେଳେ ମୟୂରଭଞ୍ଜକୁ ସଂଯୋଗ ହେବାରେ ଏକମାତ୍ର ସାହାରା ପାଲଟିଥିଲା। ବର୍ତ୍ତମାନ ଏହି ପୋଲ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଉକ୍ତ ପୋଲ ଉପରେ ରାଜ୍ୟ ରାଜପଥ ବାଲେଶ୍ୱର ଜିଲାରୁ ମୟୂରଭଞ୍ଜକୁ ସଂଯୋଗ କରୁଥିବା ସହ ଦୈନନ୍ଦିନ ହଜାର ହଜାର ଯାନ, ସାଇକେଲ ଆରୋହୀ, ଆମ୍ବୁଲାନ୍ସ, ସ୍କୁଲ ଗାଡି ପଥଚାରୀମାନେ ଯାଇଥାନ୍ତି।