ବଲାଙ୍ଗୀର ଅଫିସ, ୨୨ା୪: ବଲାଙ୍ଗୀର ସହରରେ ଗୁରୁବାର ୩ଜଣ ପୋଲିସ କନ୍ଷ୍ଟେବଳଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ୩ କନଷ୍ଟେବଳ ଏକ କାରରେ ବସି ବେପରୁଆ ଗାଡି ଚାଳନା କରିଥିଲେ। ଏନେଇ ସ୍ଥାନୀୟ ଭାଗିରଥି ଛକରେ କିଛି ଲୋକ ତାଙ୍କୁ ଅଟକାଇ ଥିଲେ। ସେମାନେ ମାସ୍କ ପିନ୍ଧି ନ ଥିବା ଦେଖି ପ୍ରତିବାଦ କରିଥିଲେ। ହେଲେ ସେମାନେ କଥାକୁ ହେୟଜ୍ଞାନ କରିବାରୁ ଲୋକେ ପିସିଆର୍ ଟିମ୍କୁ ଡକାଇଥିଲେ। ପରେ ୩ଜଣ ପୋଲିସ କର୍ମଚାରୀ ଜଣାପଡିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ପୋଲିସ ଡିଜି ଅଭୟ ବଲାଙ୍ଗୀର ଗସ୍ତରେ ଆସି କୋଭିଡ ଗାଇଡଲାଇନ୍ ମାନିବା ପାଇଁ ପରାମର୍ଶ ଦେଇ ଲୋକଙ୍କ ସେବାରେ ପୋଲିସ ଅଛି ବୋଲି କହି ଯାଇଥିଲେ। ଡିଜିପିଙ୍କ ଗସ୍ତର ୨୪ ଘଣ୍ଟା ନ ପୂରଣୁ ପୋଲିସ କର୍ମଚାରୀଙ୍କ ଏଭଳି କାଣ୍ଡକୁ ଜନସାଧାରଣ ନାପସନ୍ଦ କରିଛନ୍ତି। ପୋଲିସ ପିସିଆର ଟିମ୍ ସେମାନଙ୍କୁ ଟାଉନ୍ ଥାନାକୁ ନେଇ ମାସ୍କ ପିନ୍ଧି ନ ଥିବାରୁ ଜରିମାନା କରିଛି।