ଚାନ୍ଦବାଲି,୧୦।୧୧(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି କାଳୀପୂଜାରେ ଯାତ୍ରା ଟିକେଟ କାଟିବାକୁ ଆସିଥିବା ଦର୍ଶକଙ୍କୁ ସର୍ବସମ୍ମୁଖରେ ପୋଲିସ ପିଟିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚାନ୍ଦବାଲି କାଳୀପଡ଼ିଆ ଏବଂ ଦୁର୍ଗାପଡ଼ିଆରେ ବିଭିନ୍ନ ଅପେରା ଚାଲିଛି। ଯାତ୍ରା ଦେଖିବାକୁ ଶୁକ୍ରବାର ସକାଳେ ଟିକେଟ କାଉଣ୍ଟରରେ ଲୋକଙ୍କ ଭିଡ଼ ହୋଇଥିଲା। ଚାନ୍ଦବାଲି ଥାନାର କାର୍ଯ୍ୟରତ ଏଏସ୍ଆଇ ପି. କେ. ଜେନା ଟିକେଟ କାଉଣ୍ଟରରେ ଭିଡ଼ ଜମିବା କାରଣରୁ ଦର୍ଶକଙ୍କୁ ସର୍ବସମ୍ମୁଖରେ ଲାଠିରେ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରିବା ସହ ଏଏସ୍ଆଇଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଘଟଣା ସମ୍ପର୍କରେ ଏଏସ୍ଆଇ ଜେନା କହିଛନ୍ତି, ସେହି ସମୟରେ ଆମ୍ବୁଲାନ୍ସ ଆସୁଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନେବାକୁ ପଡ଼ିଥିଲା।