ମା’ବାପାଙ୍କଠାରୁ ତଥ୍ୟ ସଂଗ୍ରହ କଲା ପୋଲିସ

ସମ୍ବଲପୁର,୬ା୩(ବ୍ୟୁରୋ):ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ ପାୱାର ଚ୍ୟାନେଲକୁ ଡେଇଁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣା ୬ଦିନ ପରେ ବି ରହସ୍ୟାବୃତ୍ତ ହୋଇରହିଛି। ହତ୍ୟା ଅଭିଯୋଗ ଆଣିଥିବା ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁ ଓ ମାଆ ଲବଙ୍ଗଙ୍କୁ ରବିବାର ହୀରାକୁଦ ଏସ୍‌ଡିପିଓ ଅଫିସରେ ପୋଲିସ ପଚରାଉଚୁରା କରିଛି। ଏହି ସମୟରେ ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର ଓ ଏସ୍‌ପି ବାତୁଲା ଗଙ୍ଗାଧର ଉପସ୍ଥିତ ଥିଲେ। ପରିବାର ଲୋକେ ଆଣିଥିବା ହତ୍ୟା ଅଭିଯୋଗର କ’ଣ ତଥ୍ୟ ପ୍ରମାଣ ରହିଛି, କାହିଁକି ସନ୍ଦେହ କରୁଛନ୍ତି ଏଭଳି ଅନେକ ପ୍ରଶ୍ନ ପୋଲିସ ଉଭୟଙ୍କୁ ପଚାରିଛି। ଅନ୍ୟପଟେ ପୋଲିସ ସ୍ଥାନୀୟ ସମଲେଶ୍ୱରୀ ଢାବା ମାଲିକ ଓ କର୍ମଚାରୀଙ୍କୁ ଦୁଇଦିନ ଧରି ପଚରାଉଚୁରା କରିଛି। ଢାବା ଓ ଅନ୍ୟ କେତେକ ସ୍ଥାନରୁ ପୋଲିସ ସିସିଟିଭି ଫୁଟେଜ ଜବତ କରିଛି। ଭିଡିଓରେ ଢାବାରେ ଯୁବତୀଯୁବକ ନିଶା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରି କି ଘଟଣା ଦିନ ପ୍ରାୟ ୧୦୦ ଗ୍ରାମରୁ ଅଧିକ ଗଞ୍ଜେଇ ଓ ଅନ୍ୟ ନିଶାଦ୍ରବ୍ୟ ଯୁବଗୋଷ୍ଠୀ ନେଉଥିବା ଆଲୋଚନା ହେଉଛି। ପୋଲିସ ସେ ନେଇ ମଧ୍ୟ ତଦନ୍ତ କରୁଥିବା ଏସ୍‌ପି ଗଙ୍ଗାଧର କହିଛନ୍ତି। ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲେ ମଧ୍ୟ ରିପୋର୍ଟ ଆସି ନାହିଁ। ରିପୋର୍ଟ ଆସିବା ପରେ ସନ୍ଦେହ ହେଲେ ନାର୍କୋ ଟେଷ୍ଟ କରାଯିବ ବୋଲି ମଧ୍ୟ ଏସ୍‌ପି ଗଙ୍ଗାଧର କହିଛନ୍ତି।
ସୂଚନାଯୋଗ୍ୟ, ପିସି ବ୍ରିଜ ଉପରୁ ଡେଇଁ ନିଖୋଜ ହୋଇଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଅଗ୍ନିଶମ ବିଭାଗ ଗତ ୧ତାରିଖ ସକାଳେ ପାୱାର ଚ୍ୟାନେଲରୁ ଉଦ୍ଧାର କରିଥିଲା। ପ୍ରିୟଦର୍ଶିନୀଙ୍କ ମାଆ ଲବଙ୍ଗଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସି ଦଫା ୩୦୨, ୨୦୧ ଓ ୩୪ରେ ହତ୍ୟା ମାମଲା (ନଂ.୯୬/୨୩) ରୁଜୁ କରିଥିଲା। ଘଟଣାରେ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ପାଣିରେ ବୁଡିବାରୁ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଛି। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ପିସି ବ୍ରିଜକୁ କାହା ସାଥିରେ ଓ କ’ଣ ପାଇଁ ସେ ଯାଇଥିଲେ। ତାଙ୍କ ସହିତ ଝିଅ ସାଙ୍ଗ ନା କେବଳ ପୁରୁଷବନ୍ଧୁ ପ୍ରୀତିମାନ ଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କ’ଣ ଘଟିଥିଲା। ଚିନ୍ମୟୀ ପାୱାର ଚ୍ୟାନେଲକୁ ନିଜ ଇଚ୍ଛାରେ ଡେଇଁଥିଲେ ନା ଅଚେତ ଅବସ୍ଥାରେ କିଏ ପାଣିକୁ ଫିଙ୍ଗି ଦେଇଥିଲା ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ପୋଲିସ କେବେ ରହସ୍ୟ ଉପରୁ ପରଦା ହଟାଉଛି ତାହାକୁ ଅପେକ୍ଷା।

Share