ଚଢ଼ାଉ କରିବାକୁ ଯାଇ ଭୁଲ୍‌ ଘରେ ପଶି ପୋଲିସ ହଟହଟା

ଚାନ୍ଦବାଲି,୨୦।୬ (କିଷାନ ପାତ୍ର): ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରାତିଅଧିଆ ଚଢ଼ାଉ କରିବାକୁ ଯାଇଥିବା ବେଳେ ବାଂଶଡ଼ା ପୋଲିସକୁ ହଟହଟା ହେବାକୁ ପଡ଼ିଛି। ଭୁଲ୍‌ ଘରେ ଚଢ଼ାଉ ସହ ଆକ୍ରମଣ ଅଭିଯୋଗ ଆଣି ଲୋକେ ପୋଲିସକୁ ରାତିସାରା ଅଟକ ରଖିଥିଲେ।
ସୂଚନା ଅନୁଯାୟୀ,  ବାଂଶଡ଼ା ଥାନା କରଞ୍ଜମାଳ ଫାଣ୍ଡି ଅଧୀନ କରଞ୍ଜମାଳ ଗାଁର ଜଣେ ହତ୍ୟା ମାମଲାର ଅଭିଯୁକ୍ତ ଘଣ୍ଟେଶ୍ୱର ଫାଣ୍ଡି ଅଧୀନ ବ୍ରହ୍ମଟିକ୍ରି ଗ୍ରାମର ମୁରଲୀ ବିଳାସଙ୍କ ଘରେ ବୁଧବାର ରାତିରେ ଲୁଚିଥିବା ପୋଲିସ ଖବର ପାଇଥିଲା। ବାଂଶଡ଼ା ଥାନା ଅଧିକାରୀ ଦେବରାଜ ଜେନାଙ୍କ ନିର୍ଦ୍ଦେଶରେ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ମୁରଲୀଙ୍କ ଘରେ ରାତିଅଧିଆ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ କବାଟ ଝରକା ଭାଙ୍ଗିବା, ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ନେଇଯିବା, ଘରର ମହିଳା ଏବଂ ପୁରୁଷଙ୍କୁ ଆକ୍ରମଣ ଅଭିଯୋଗ ଆଣି ଗ୍ରାମବାସୀ ହୋହଲ୍ଲା କରିଥିଲେ। ଏଥିସହ ଦୁଇଜଣ ଏଏସ୍‌ଆଇ ଓ ୫ କନଷ୍ଟେବଲଙ୍କୁ ଗ୍ରାମବାସୀ ରାତିରେ ଅଟକ ରଖିଥିଲେ। ବୁଝାଶୁଝା ପରେ ଗୁରୁବାର ସକାଳେ ଗ୍ରାମବାସୀ ପୋଲିସକୁ ଛାଡ଼ିଥିଲେ। ଏ ସମ୍ପର୍କରେ ଚାନ୍ଦବାଲି ଏସ୍‌ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ କହିଛନ୍ତି, ଦୁଇଦିନ ପୂର୍ବରୁ ଘଟିଥିବା ଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସେହି ଘରେ ଲୁଚିଥିବା ନେଇ ଖବର ମିଳିବାରୁ ଚଢ଼ାଉ କରାଯାଇଥିଲା। ତେବେ ଉକ୍ତ ଘରେ ପୋଲିସ ଭଙ୍ଗାରୁଜା କରିବା ଓ ଆକ୍ରମଣ ଅଭିଯୋଗ ମିଛ ବୋଲି ସେ କହିଛନ୍ତି।