ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇ ଲକ୍ଷେ ହରାଇଲେ ପୋଲିସ ଇନ୍ସପେକ୍ଟର

ଭୁବନେଶ୍ୱର,୧୩।୯(ବ୍ୟୁରୋ): ରାଜ୍ୟରେ ଏବେ ବଡ଼ ବଡ଼ ସାଇବର ଠକେଇ ହେଉଛି। ସାଇବର ଠକମାନେ ବାହାରେ ରହି ନେଟ୍‌ଓ୍ବର୍କ ଚଲାଉଥିବାରୁ ଓଡ଼ିଶା ପୋଲିସ ସେମାନଙ୍କ ପାଖରେ ପହଞ୍ଚତ୍ପାରୁନି। ଏବେ କମିଶନରେଟ ପୋଲିସର ଖୋଦ୍‌ ଜଣେ ପୋଲିସ ଅଧିକାରୀ ଠକେଇର ଶିକାର ହୋଇଛନ୍ତି। ଜୟଦେବବିହାରସ୍ଥିତ ଜିଏ କ୍ୱାର୍ଟର୍ସରେ ରହୁଥିବା ଇନ୍ସପେକ୍ଟର ବିନୋଦିନୀ ନାୟକ ୧ଲକ୍ଷ ହରାଇଛନ୍ତି। ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ କାର୍ଯ୍ୟ କରୁଥିବା ବିନୋଦିନୀ ଏନେଇ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବିନୋଦିନୀ ଗତ ୯ ତାରିଖ ରାତି ୭ଟାରେ ଅନ୍‌ଲାଇନ୍‌ରେ ଖାଦ୍ୟ ଯୋଗାଉଥିବା ଏକ ପ୍ରମୁଖ ସଂସ୍ଥାରୁ ଖାଦ୍ୟ ଅର୍ଡର କରିଥିଲେ। ଏଥିଲାଗି ସେ ଫୋନ୍‌ ପେ’ରେ ୩୮୬ ଟଙ୍କା ଅନ୍‌ଲାଇନ୍‌ ପେମେଣ୍ଟ କରିଥିଲେ। ହେଲେ ନିର୍ଦ୍ଧାରିତ ରାତି ୮ଟା ୩୦ ସୁଦ୍ଧା ଖାଦ୍ୟ ତାଙ୍କ ଘରେ ପହଞ୍ଚତ୍ ନ ଥିଲା। ଏହାପରେ ତାଙ୍କ ମେଲ୍‌ ଆଇଡିକୁ ଏକ ମେସେଜ ଆସିଥିଲା। ସେଥିରେ ଅର୍ଡର କ୍ୟାନସଲ ହୋଇଥିବା ସୂଚନା ଦିଆଯାଇଥିବାବେଳେ ପ୍ରୋସେସିଂ ପାଇଁ ୧୯୩ ଟଙ୍କା କଟିଛି ଓ ବାକି ଟଙ୍କା ଆକାଉଣ୍ଟକୁ ଫେରିଯିବ ବୋଲି ଲେଖାଯାଇଥିଲା। ହେଲେ ଟଙ୍କା ଆକାଉଣ୍ଟକୁ ନ ଫେରିବାରୁ ସେ ଉକ୍ତ ଅନ୍‌ଲାଇନ୍‌ ଡେଲିଭେରି ସଂସ୍ଥାର ଅଫିସିଆଲ ଫୋନ୍‌ ନମ୍ବରକୁ ଯୋଗାଯୋଗ କରିଥିଲେ। କଲ୍‌ ଉଠାଇଥିବା ବ୍ୟକ୍ତି ଜଣକ ସଂସ୍ଥାର ମୁଖ୍ୟଙ୍କୁ ଫୋନ୍‌ କଲ ଡାଇଭର୍ଟ କରିଥିଲେ। ବିନୋଦିନୀ ତାଙ୍କ ସହ କଥାହେବା ପରେ ପରାମର୍ଶ ଅନୁଯାୟୀ ସେ ଏକ କୋଡ୍‌କୁ ଅନ୍ୟ ଏକ ଫୋନ୍‌ ନମ୍ବରକୁ ପଠାଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୨୪ ହଜାର ଟଙ୍କା କଟିଯାଇଥିଲା। ସେ ଆକାଉଣ୍ଟ ବନ୍ଦ କରିବା ପାଇଁ ତୁରନ୍ତ ଏସ୍‌ବିଆଇ ଟୋଲ ଫ୍ରି ନମ୍ବରକୁ କଲ୍‌ କରିଥିଲେ ମଧ୍ୟ କେହି ରିସିଭ୍‌ କରି ନ ଥିଲେ। ପରେ ପୁଣି ତାଙ୍କ ଆକାଉଣ୍ଟରୁ ୪୯ ହଜାର ୯୦୫ ଟଙ୍କା କଟିଯିବାରୁ ଫୋନ୍‌ ପେ’ କଷ୍ଟମର କେୟାରକୁ କଲ୍‌ କରି ନିରାଶ ହୋଇଥିଲେ। ଏହିପରି ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା କଟିଯାଇଥିଲା। ଶେଷରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ।

Share