ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ମାଡ଼କାପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ମାଡ଼କାପଦର ଜଙ୍ଗଲ ମଧ୍ୟରେ ମାଓବାଦୀମାନଙ୍କର ଏକ ବୈଠକ ଚାଲିଥିବା ପୋଲିସ ସୂଚନା ପାଇଥିଲା। ଏସ୍‌ପି ହୃଷୀକେଶ ଡି ଖିଲାରୀଙ୍କ ନେତୃତ୍ୱରେ ଡିବିଏଫ୍‌ ଓ ଏସ୍‌ଓଜି ଯବାନମାନେ ଉକ୍ତ ଜଙ୍ଗଲରେ କୁମ୍ବିଂ ଅପରେଶନ କରୁଥିବା ସମୟରେ ମାଓବାଦୀମାନେ ସୂଚନା ପାଇ ପୋଲିସ ଉପରକୁ ଗୁଳି ଚାଲନା କରିଥିଲେ। ଯବାନଙ୍କ ପାଲଟା ଜବାବରେ ମାଓବାଦୀମାନେ ସେଠାରୁ ଛତ୍ର ଭଙ୍ଗ ଦେଇଥିବା ବେଳେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଓ ଅନେକ ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି। ସେହି ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରାଉ କରି ଅଧିକ ଯାଞ୍ଚ ଜାରି ରଖିଛନ୍ତି। ଘଟଣାସ୍ଥଳକୁ କୌଣସି ଗଣମାଧ୍ୟମ କିମ୍ବା ସାଧାରଣ ବ୍ୟକ୍ତିଙ୍କୁ ଛଡ଼ା ଯାଉ ନ ଥିବା ସୂଚନା ମିଳିଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ଏସ୍‌ପି, ଘଟଣାସ୍ଥଳରୁ ପେରିଲା ପରେ ସବିଶେଷ ତଥ୍ୟ ମିଳିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।