୨ ଜଣଙ୍କୁ ପଳାତକ ଘୋଷଣା କରି କାନ୍ଥରେ ନୋଟିସ୍‌ ମାରିଲା ପୋଲିସ

ଚିତ୍ରକୋଣ୍ଡା,୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓ ଦୌରା ତଥା ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ବାରମ୍ବାର କୋର୍ଟ ନୋଟିସକୁ ଅବମାନନା କରି ଧାର୍ଯ୍ୟ ତାରିଖଗୁଡିକରେ ହାଜର ନ ହେବାରୁ ଦୁଇଜଣଙ୍କୁ ପଳାତକ ଘୋଷଣା କରାଯାଇଛି। ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଚିତ୍ରକୋଣ୍ଡା ଏସ୍‌ଡିପିଓ ଆରସେଲ କିସପୋଟାଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଥାନାଧିକାରୀ ମୁକୁନ୍ଦ ମେଲକାଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍‌ ଅଭିଯୁକ୍ତ ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ଆରଙ୍ଗୀ ଗ୍ରାମର ହୁସେନ ଖାନ୍‌ଙ୍କ ପୁଅ ରାମଜାନ ଖାନ ଏବଂ ଗିରିଲିଗୁଡ଼ା ଗ୍ରାମର ଯୋଗୀ ଖିଲଙ୍କ ପୁଅ ବୁଦୁଙ୍କ ଘରକୁ ଯାଇ ପଚାରି ବୁଝିବାରୁ ସେମାନେ ଘରେ ନ ଥିବା ଜଣାପଡ଼ିଥିଲା। ତେବେ ଉଭୟ ଗ୍ରାମର ଗ୍ରାମବାସୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଦ୍ୱୟଙ୍କ ଘର କାନ୍ଥରେ ପଳାତକ ନୋଟିସ୍‌ ମରାଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ପଳାତକ ଘୋଷଣା କରାଯାଇ ଗିରଫ ପରଓ୍ବାନା ଜାରି କରାଯାଇଛି l ଆଜିଠାରୁ ଧାର୍ଯ୍ୟ ତାରିଖ ମଧ୍ୟରେ କୋର୍ଟରେ ହାଜର ନ ହେଲେ ତାଙ୍କର ଥିବା ସମସ୍ତ ସମ୍ପତ୍ତିକୁ ଆଇନ ଅନୁଯାୟୀ ବ୍ୟାଜାପ୍ତ କରାଯିବ ବୋଲି ଘୋଷଣାରେ ଉଲ୍ଲେଖ କରାଯାଇଛି। ରାମଜାନଙ୍କ ନାମରେ ଏକ ଏନ୍‌ଡିପିଏସ୍‌ କେସ୍‌ ନମ୍ବର ୫୨/୨୧ ଏବଂ ବୁଦୁଙ୍କ ନାମରେ ୧୬/୨୦୧୬ ମାମଲା ଅନୁଯାୟୀ ଉଭୟ ଫେରାର ରହି କୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରିଥିବାରୁ ବିଚାରିପତି ଉକ୍ତ ନିଷ୍ପତ୍ତି ଘୋଷଣା କରିଛନ୍ତି l କେବଳ ଏହି ଅଭିଯୁକ୍ତମାନେ ନୁହେଁ ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ଥିବା ଅଞ୍ଚଳ ମଧ୍ୟରେ ରହିଥିବା ଏଇଭଳି ଏନ୍‌ଡିପିଏସ ତଥା ଅନ୍ୟାନ୍ୟ ମାମଲାରେ ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତମାନଙ୍କ ନିମନ୍ତେ ମାନ୍ୟବର କୋର୍ଟଙ୍କର ନିର୍ଦ୍ଦେଶ କ୍ରମେ ପଳାତକ ଘୋଷଣା କରାଯାଇ ଗିରଫ ପରଓ୍ବାନା ଜାରି କରାଯିବ ବୋଲି ଚିତ୍ରକୋଣ୍ଡା ଥାନାଧିକାରୀ ମୁକୁନ୍ଦ ମେଲକା ପ୍ରକାଶ କରିଛନ୍ତି l

Share